ଓଡ଼ିଶାସ୍ୱତନ୍ତ୍ର

ପୋଟଳ ଚାଷ କରି ହେଲେ ଲକ୍ଷପତି

ପରିବା ଚାଷ ମଧ୍ୟ ଆପଣଙ୍କ ଭାଗ୍ୟ ବଦଳାଇ ଦେଇପାରେ ଜାଣିଛନ୍ତି କି। ଏଭଳି ଉଦାହରଣ ଆମେ ରାଜ୍ୟ ବାହାରୁ ଅନେକ ଦେଖିଛନ୍ତି । ତେବେ ରାଜ୍ୟ ଭିତରେ ମଧ୍ୟ ଏହି ଉଦାହରଣ କିଛି କମ୍ ନୁହେଁ । ଟାଙ୍ଗରା ଭୂମିରେ ମଧ୍ୟ ପରିବା ଚାଷ କରି ଅନେକ ଚାଷୀ ଯେ କେବଳ ଆତ୍ମନିର୍ଭରଶୀଳ ହୋଇଛନ୍ତି ତାହା ନୁହେଁ ବରଂ  ଆର୍ଥିକ ସ୍ଥିତି ମଜବୁତ୍ କରିବା ସହ ଦୈନନ୍ଦିନ ଆର୍ଥିକ ଆବଶ୍ୟକତାକୁ ଅନେକ ମାତ୍ରାରେ ପୁରଣ କରୁଛି । ଏଭଳି ଏକ ଉଦାହରଣ ସୁନ୍ଦରଗଡ ଜିଲ୍ଲାର ହେମଗିରି ବ୍ଲକରୁ ଦେଖିବାକୁ ମିଳିଛି।  ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ତରଫରୁ ଜିଲ୍ଲାର ୬ଟି ବ୍ଲକ୍ ରେ ପ୍ରାୟ ୩୦୦୦ ଏକର ଜାଗାରେ ୱାଡି କାର୍ଯ୍ୟକ୍ରମ ଅଧିନରେ ୨୦୨୦ ମସିହାରୁ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଇଛି । ଟାଙ୍ଗରା ଭୂମିକୁ ଶସ୍ୟଶ୍ୟାମଳା କରି ଏଥିରେ ଏକାଧିକ ଫସଲ ଫଳାଇ ଲୋକଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାର ଏହି ଅଭିନବ ପ୍ରୟାସ ଅନେକାଂଶରେ ସଫଳ ହୋଇଛି । ଖଣି ପ୍ରଭାବିତ ବ୍ଲକ୍ ଯଥା, କୁତ୍ରା, କୋଇରା, ଲହୁଣୀପଡା, ରାଜଗାଂଗପୁର, ହେମଗିରି, କୁଆଁରମୁଣ୍ଡା ଆଦି ବ୍ଲକ୍ ରେ ପ୍ରାୟ ୫୦୦ ଏକ ଲେଖାଏଁ ଜମିରେ ଆମ୍ବ, ଲେମ୍ବୁ, ଲିଚି, କାଜୁବାଦାମ ଆଦି ଗଛ ଲଗାଯାଇଛି । ଏଠାରେ ଚାଷୀମାନଙ୍କୁ ବିହନ, ସାର, ସୌର ଚାଳିତ ଜଳ ସେଚନ ସହ ଶୀତଳ ଭଣ୍ଡାର ବ୍ୟବସ୍ଥା ଏବଂ ବଜାର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ଏହି କ୍ଷେତରୁ ବାହାରୁ ଥିବା ପୋଟଳ , ବରଗୁଡି, ଲଙ୍କା ସହ ବିଭିନ୍ନ ଶାଗ ଆଦିକୁ ବଜାରରେ ବିକ୍ରି କରି ଚାଷୀ ବେଶ୍ ଦୁଇ ପଇସା କମାଉଛନ୍ତି । ଏହି ପରିବା ସବୁ ମୋ ବାଡି ପରିବା ନାମରେ ବିକ୍ରୀ ହେଉଛି । ତେବେ ହେମଗିରି ବ୍ଲକ୍ ର ଟାପୋରିଆ, ଲାଇକେରା, ବିଶ୍ୱନାଥପୁର, ସୁରୁଲତା, ଡିହିଗୋଡା ଆଦି ଗାଁ ମାନଙ୍କରେ ପ୍ରାୟ ୨୦୦ ଏକର ଜାଗାରେ ଚଳିତ ବର୍ଷ ପୋଟଳ ଆଦି ଚାଷ ବେଶ୍ ଭଲ ହୋଇଛି । ଏଥିରେ ପ୍ରାୟ ୨୬୯ ଜଣ ଚାଷୀ ଚାଷ କାମ କରି ଲାଭବାନ ହୋଇଛନ୍ତି । ଏହି ସବୁ ଚାଷୀମାନେ ପ୍ରତି ରବିବାର ଦିନ ପୋଟଳ ତୋଳି ତାକୁ ନିକଟସ୍ଥ ହାଟରେ ବିକିବା ସହ ଏହାକୁ ଅନ୍ୟ ବଡ ବେପାରୀଙ୍କୁ ମଧ୍ୟ ଦେଇଥାଆନ୍ତି । ପୋଟଳର ଦମ ବର୍ଷର ବିଭିନ୍ନ ସମୟରେ କିଲୋ ପିଛା ୨୦ ଟଙ୍କାରୁ ୪୦ ଟଙ୍କା ଯାଏ ବିକ୍ରିହୋଇଥାଏ । ପ୍ରତି ଚାଷୀ ବର୍ଷ ସାରା ପରିଶ୍ରମ କରି ପୋଟଳ ଆଦି ପରିବା ଚାଷରୁ ବର୍ଷକୁ ୮୦ ହଜାରରୁ ଲକ୍ଷେ ଟଙ୍କାଯାଏ ରୋଜଗାର କରିଥାଆନ୍ତି । ଛତିଶଗଡର ବେପାରୀମାନେ ଗାଡି ନେଇ ପ୍ରତି ରବିବାର ଦିନ ପରିବା ସଂଗ୍ରହ କରୁଥିବା ବେଳେ ଅନେକ ସମୟରେ ମହିଳାମାନେ ଏହି ପରିବାକୁ ନିଜ ପାଖ ଗାଁ ହାଟରେ ବିକ୍ରୀ କରିଥାଆନ୍ତି । ଚାଷୀମାନଙ୍କର ଏହି ରୋଜଗାର ସେମାନଙ୍କର ପୁଅ ଝିଅ କିମ୍ବା ନାତି ନାତୁଣୀଙ୍କୁ ଶିକ୍ଷା ଏବଂ ସେମାନଙ୍କ ସ୍ୱାସ୍ଥ୍ୟପାଇଁ ଖର୍ଚ୍ଚ ହୋଇଥାଏ । ଅନେକ ନିଜର ଘରର ମରାମତି କରିବା ସହ ବିଭିନ୍ନ ପବଁପର୍ବାଣୀରେ ମଧ୍ୟ ଏହି ଅର୍ଥକୁ ଖର୍ଚ୍ଚ କରିଥାଆନ୍ତି । ପୋଟଳ ବାଦ୍ ଚାଷୀମାନେ ପୋଟଳ ଚାରା ମଧ୍ୟ ବିକ୍ରୀ କରିଥାଆନ୍ତି । ଏହି ବାବଦରେ ସେମାନେ ବର୍ଷକୁ ୩୦,୦୦୦ ରୁ ୪୦,୦୦୦ ଟଙ୍କା ଅଲଗା ରୋଜଗାର କରିଥଆନ୍ତି ।

Show More

Related Articles

Back to top button