ପୁରୀ ରାଉଲକେଲା ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

ଚଳିତ ମାସ ଶେଷ ସୁଦ୍ଧା ଓଡିଶା ମାଟିରେ ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଏନେଇ ବୁଧବାର ଦିନ ଆରମ୍ଭ ହୋଇଛି ପୁରୀ- ରାଉରକେଲା ମଧ୍ଯରେ ଟ୍ରାଏଲ ରନ୍ । ଷ୍ଟିଲ ସିଟି ରାଉରକେଲାରୁ ପୁରୀ ମଧ୍ୟରେ ରେଳ ଦୂରତା ୫୦୫ କିଲୋମିଟର ଥିବାବେଳେ ଏହି ଟ୍ରେନ୍ ଏଥିଲାଗି ପ୍ରାୟ ୭ ଘଣ୍ଟା ୪୫ ମିନିଟ୍ ସମୟ ନେବ । ତେବେ ଟ୍ରାଏଲ ରନ୍ ସମୟରେ ଟ୍ରେନଟି ଘଣ୍ଟା ପ୍ରତି ହାରାହାରି ୬୩.୩୩ କିମିରୁ ୬୫.୧୬ କିମି ବେଗରେ ଚାଲିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ପୁରୀ- ରାଉରକେଲା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ଆଜି ସକାଳ ୫ଟାରେ ପୁରୀ ଷ୍ଟେସନରୁ ବାହାରିଛି ଏହି ହାଇସ୍ପିଡ଼ ଟ୍ରେନ୍ । ଯାହାକି ଅପରାହ୍ନ ୧୨ଟା ୪୫ ମିନିଟ୍ ରେ ରାଉଲକେଲା ଷ୍ଟେସନରେ ପହଞ୍ଚିବ । ଏହାପରେ ୨ଟା ୧୦ ମିନିଟ୍ ରେ ରାଉରକେଲା ଷ୍ଟେସନ ଛାଡ଼ି ରାତି ୯ଟା ୪୦ ମିନିଟରେ ପୁରୀ ଷ୍ଟେସନରେ ପହଁଞ୍ଚିବ ବୋଲି ଜଣାପଡିଛି । ଏହି ହାଇସ୍ପିଡ଼ ଟ୍ରେନ୍ ରେ ୮ଟି କୋଚ ରହିଛି । ଏହି ଟ୍ରାଏଲ ରନ୍ ସମୟରେ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀ ଷ୍ଟେସନରୁ ବାହାରି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଡେଙ୍କାନାଳ, ଅନୁଗୋଳ, କେରେଜେଙ୍ଗା, ସମ୍ବଲପୁର ସିଟି, ଝାରସୁଗୁଡା ଅର୍ଥାତ୍ ୧୦ଟି ଷ୍ଟେସନରେ ରହିବ। ସୂଚନାଯୋଗ୍ୟ ଗତ ୧୨ ତାରିଖ ଦିନ ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ହୋଇଥିଲା । ପୁରୀ ଷ୍ଟେସନରୁ ସକାଳ ୯ଟା ୩୦ରୁ ବାହାରି ଦିନ ୧୨ଟା ୪୫ ମିନିଟ୍ ରେ ତାଳଚେର ରୋଡ଼ରେ ପହଞ୍ଚିଥିଲା ଏହି ଟ୍ରେନ୍ । ପୁର୍ନବାର ଏହା ଅପରାହ୍ନ ୧ଟା ୫ ମିନିଟ୍ରେ ତାଳଚେର ଷ୍ଟେସନ ଛାଡି ସଂଧ୍ୟା ୫ଟା ୨୦ ମିନିଟ୍ରେ ପୁରୀରେ ପହଞ୍ଚିଥିଲା। ଏହି ସମୟରେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢ଼େଙ୍କାନାଳ ଷ୍ଟେସନରେ ମାତ୍ର ୨ ମିନିଟ୍ ଲେଖାଏଁ ଅଟକିଥିଲା ଏହି ଟ୍ରେନ୍। ସେହିପରି ଚଳିତ ବର୍ଷ ମେ ୧୮ ତାରିଖରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ ମୋଡ୍ରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ୍ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା।