ନିର୍ବାଚନ କମିଶନର ନିଯୁକ୍ତିରେ ହେବ ବଡ ପରିବର୍ତ୍ତନ
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବଦଳାଇବାକୁ ଆସିଲା ବିଲ୍

ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ପ୍ୟାନେଲର କମିଶନରମାନଙ୍କୁ ଏଣିକି କେନ୍ଦ୍ର ସରକାର ନିଜ ଇଚ୍ଛାରେ ନିଯୁକ୍ତି ଦେବେ। କାରଣ ନିର୍ବାଚନ କମିଶନର ଚୟନ ପାଇଁ ଗଠିତ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରହିବେ ନାହିଁ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଜଣେ କ୍ୟାବିନେଟ ମନ୍ତ୍ରୀ ହିଁ ମୁଖ୍ୟ ନିର୍ବାଚନ କମିଶନ ଓ ଅନ୍ୟ କମିଶନରମାନଙ୍କୁ ଚୟନ କରିବାକୁ କେନ୍ଦ୍ର ସରକାର ଏଭଳି ଏକ ବିଲ୍ ଆଣିଛନ୍ତି।
ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟି ୩ ସଦସ୍ୟ ବିଶିଷ୍ଟ ହୋଇଥାଏ। ଏହି କମିଟିରେ ଦେଶର ପ୍ରଧାନମନ୍ତ୍ରୀଙ୍କ ସମେତ ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିଛନ୍ତି। ହେଲେ ସିଜେଆଇଙ୍କ ବଦଳରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ କମିଟିରେ ରଖିବାକୁ ବିଲ୍ରେ ବ୍ୟବସ୍ଥା କରାଯାଇଛି। ଏହାକୁ ଆଜି କେନ୍ଦ୍ର ସରକାର ରାଜ୍ୟସଭାରେ ଆଗତ ମଧ୍ୟ କରିବେ ବୋଲି ଜଣାପଡ଼ିଛି।
ଗତ ମାର୍ଚ୍ଚରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସହ ଜଡ଼ିତ ମାମଲାର ଶୁଣାଣି କରିଥିଲେ। ଏହାପରେ ମୁଖ୍ୟ ନିର୍ବାଚନ ଆୟୋଗ ଓ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଗଠିତ କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ରାୟ ଶୁଣାଇଥିଲେ। ମାତ୍ର କେନ୍ଦ୍ର ସରକାର ବିଲ୍ ଜରିଆରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
new bill for election commissioner appointment