ଧର୍ମଘଟ ସ୍ଥଗିତ ରହିବା ପରେ ରାଜ୍ୟରେ ପୁଣି ଗଡ଼ିଲା ବସ

ଗତ ଶୁକ୍ରବାର ଦିନ ଘରୋଇ ବସ ମାଲିକ ସଂଘର ଧର୍ମଘଟ ସ୍ଥଗିତ ରହିବା ପରେ ଆଜି ରାଜ୍ୟରେ ସ୍ୱାଭାବିକ ହୋଇଛି ବସ ଚଳାଚଳ। ଧର୍ମଘଟ ଯୋଗୁଁ ବିଭିନ୍ନ ସ୍ଥାନରେ ଅଟକି ଥିବା ବସ୍ ପୁଣି ଚଳାଚଳ ଆରମ୍ଭ କରିଛି । ଫଳରେ ଯାତ୍ରୀମାନଙ୍କୁ ଆଶ୍ୱସ୍ତ ମିଳିଥିବା ବେଳେ ସଭିଁଏ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଗତକାଲି ବସ୍ ଧର୍ମଘଟ କରିଥିଲା । ଫଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶହ ଶହ ଯାତ୍ରୀ। ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ବସ୍ ଧର୍ମଘଟ ଯୋଗୁଁ ସକାଳ ୬ଟାରୁ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା । ଫଳରେ ହନ୍ତସନ୍ତ ହୋଇଥିଲେ ବହୁ ଯାତ୍ରୀ । ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ ଜାରି ରହିବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା । ପରେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଡ ବଦଳିଥିଲା । ବୈଠକରେ ସମସ୍ତ ଦାବି ଓ ପ୍ରସଙ୍ଗରେ ଆଲୋଚନା ପରେ, ଧର୍ମଘଟ ସ୍ଥଗିତ କରିବା ନେଇ ମାଲିକ ସଂଘ ସହଯୋଗ କରିବେ ବୋଲି ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଥିଲେ । ସରକାରଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଥିଲେ । ଫଳରେ ଆଜି ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି ।