ଓଡ଼ିଶା

କ୍ୟାପିଟାଲ ହସ୍ପିଟାଲରେ ପିଲା ବଦଳ ଅଭିଯୋଗ

ଗତକାଲି ଅର୍ଥାତ କ୍ୟାପିଟାଲ ହସ୍ପିଟାଲରେ ପିଲା ଅଦଳବଦଳ ଅଭିଯୋଗ ଆସିଥିବା ବେଳେ ଆଜି ସେହି ଘଟଣାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ପିଲା ଜନ୍ମ ଦିନ ସେଠାରେ ଉପସ୍ଥିତ ଥିବା ମହିଳା ଆଟେଣ୍ଡାଣ୍ଟ୍‌ଙ୍କ ବିରୋଧରେ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। ଦରକାର ପଡ଼ିଲେ ଯଦି ଅନ୍ୟ କେହି ଦୋଷୀ ବାହାରିବେ ତେବେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି। ଏହି ଘଟଣାକୁ ନେଇ ୩ ଜଣିଆ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ତଦନ୍ତ ପରେ ଉକ୍ତ ବ୍ୟକ୍ତିଙ୍କର ଝିଅ ହୋଇଥିବା ଜଣାପଡ଼ିଛି। କିନ୍ତୁ ବ୍ୟକ୍ତି ଜଣଙ୍କ ଡିଏନଏ ଟେଷ୍ଟ ପାଇଁ ଦାବି କରିଥିବାରୁ ପୁଲିସକୁ ଏ ବିଷୟରେ ସୂଚନା ଦିଆଯାଇଛି। ଦୃଷ୍ଟାନ୍ତମୂଳକ ପଦକ୍ଷେପ ହିସାବରେ ମହିଳା ଆଟେଣ୍ଡାଣ୍ଟ୍‌ଙ୍କୁ ନିଲମ୍ବିତ କରାଯାଇଛି। ସେ ପ୍ରସବ ପରେ ଅଭିଯୋଗକାରୀଙ୍କୁ ପୁଅ ହୋଇଛି ବୋଲି ଭୁଲ ସୂଚନା ଦେଇଥିବା ଜଣାପଡ଼ିଛି। ତେବେ ସୂଚନା ଅନୁଯାୟୀ, କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ବାଳ ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳରେ ଘର ଭଡ଼ା ନେଇ ରୁହନ୍ତି। ତାଙ୍କ ପତ୍ନୀଙ୍କର ପ୍ରସବ ଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମଙ୍ଗଳବାର ସକାଳ ୧୦ଟା ୧୫ ସମୟରେ ତାଙ୍କ ପତ୍ନୀ ଏକ ଶିଶୁ ଜନ୍ମ କରିଥିଲା। ଏହାର ୬ ମିନିଟ୍‌ ପରେ ଅନ୍ୟ ଏକ ଓଟିରେ ଆଉ ଜଣେ ମହିଳା ମଧ୍ୟ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଓଟି ମଧ୍ୟରୁ ଜଣେ ଆଟେଣ୍ଡାଣ୍ଟ ଆସି ପ୍ରାଣକୃଷ୍ଣଙ୍କର ପୁଅ ହୋଇଥିବା କହିଥିବା ବେଳେ ଏକ ରେଜିଷ୍ଟରରେ ଦସ୍ତଖତ କରାଇଥିଲେ। କିନ୍ତୁ ଏହାର କିଛି ସମୟ ପରେ ଫ‌ଟୋ ଉଠାଇବା ପାଇଁ ଡାକିବା ସମୟରେ ପ୍ରାଣକୃଷ୍ଣଙ୍କୁ ଏକ ନବଜାତ ଝିଅକୁ ଦେଇଥିଲେ। ଏହାକୁ ନେଇ ସେ ଆପତ୍ତି ଉଠାଇଥିଲେ। କିନ୍ତୁ ପ୍ରସବ କରାଇଥିବା ଡାକ୍ତର, ସେଠାରେ ଥିବା ନର୍ସ ଓ ଅନ୍ୟ କର୍ମଚା‌ରୀମାନେ ତାଙ୍କର ଝିଅ ହୋଇଛି ଏବଂ ପରେ ଅନ୍ୟଜଣଙ୍କର ପୁଅ ହୋଇଥିବା ତାଙ୍କୁ ବୁଝାଇଥିଲେ। କିନ୍ତୁ ଏହାକୁ  ଗ୍ରହଣ କରି ନଥିଲେ ପ୍ରାଣକୃଷ୍ଣ।ତାଙ୍କର ପୁଅ ହୋଇଛି, ଡାକ୍ତର ତଞ୍ଚକତା କରି ଶିଶୁ ବଦଳାଇ ଦେଇଥିବା କ୍ୟାପିଟାଲ ହସ୍ପିଟାଲ ନି‌ର୍ଦ୍ଦେଶକଙ୍କ ନିକଟରେ ଅଭି‌ଯୋଗ କରିଥିଲେ। ଅଧୀକ୍ଷକଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇ ନି‌ର୍ଦ୍ଦେଶକ ମାମଲାର ତଦନ୍ତ କରାଇଥିଲେ।ବୁଝାମଣା ଅଭାବ ଯୋଗୁ ଏପରି ହୋଇଥିବା କହିଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ।

Show More

Related Articles

Back to top button