Breaking PLUSରାଜନୀତି

ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ ରାଜନୀତି ପାଇଁ ବଡ଼ ଖବର । ଶୁଣିବାକୁ ମିଳୁଛି ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ଧର୍ମେନ୍ଦ୍ର ପ୍ରଧାନ । PTI କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ତାଙ୍କର ଆଗ୍ରହ ରହିଛି । ଏଥିପାଇଁ ସେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ଯଦି କେନ୍ଦ୍ରୀୟ ନେତୃତ୍ୱ ଅନୁମତି ଦିଅନ୍ତି ତେବେ ସେ ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି । ଏଥିସହ ସେ କହିଛନ୍ତି, ବିଗତ କିଛି ବର୍ଷ ହେବ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରି ଆସୁଛି । ଏଥର ନିର୍ବାଚନରେ ମଧ୍ୟ ଦଳ ଭଲ କରିବ ଆଉ ୧ ନମ୍ବର ଦଳ ଭାବେ ରହିବ। ବିଶେଷ କରି କେନ୍ଦ୍ରୀୟ ଓଡ଼ିଶା ଅନୁଗୁ୍ଳ ଜିଲ୍ଲାବାସୀ ଧର୍ମେନ୍ଦ୍ର ପରବର୍ତ୍ତୀ ରାଜନୈତିକ ବାଟାଲ୍‌ ଫିଲ୍ଡ ଭାବେ କେଉଁ ସ୍ଥାନକୁ ବାଛିବେ ସେ ନେଇ ସ୍ପଷ୍ଟ କରି ନ ଥିବା ବେଳେ ଏମିତି କିଛି ଲୋକସଭା ଆସନରୁ ସେ ଲଢ଼ିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି । ବିଶେଷ କରି ପଡ଼ୋଶୀ ଜିଲ୍ଲା ଅର୍ଥାତ ଢେଙ୍କାନାଳ ଲୋକସଭା ଆସନରୁ ଧର୍ମେନ୍ଦ୍ର 2024ରେ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଉଭୟ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଉଭୟ ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କୁ ଦେଖିବାକୁ ମିଳୁଛି । ବିଶେଷ କରି ଛୋଟ ଛୋଟ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ସହ ମଧ୍ୟ ଯୋଡି ହେଉଛନ୍ତି । ଏହି ଦୃଷ୍ଟିରୁ ଢେଙ୍କାନାଳକୁ ଚଏସ୍‌ ଫାକ୍ଟର କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ଏପରି କି ଧର୍ମେନ୍ଦ୍ରଙ୍କ ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ କରିବା ପଛର କାରଣକୁ ଅନୁଧ୍ୟାନ କଲେ ହୁଏତ ପଶ୍ଚିମ ଓଡ଼ିଶାର ଯେକୌଣସି ଏକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମିତିରେ ବି 2019 ଲୋକସଭା ନିର୍ବାଚନରେ ପୂରା ପଶ୍ଚିମ ଓଡ଼ିଶାର ସବୁ ଲୋକସଭା ଆସନ କବ୍‌ଜା କରିଥିଲା ଭାରତୀୟ ଜନତା ପାର୍ଟି । ଦଳୀୟ ସଂଗଠନ ଲୋକପ୍ରିୟତା ଓ ତୃଣମୂଳ ସ୍ତରରେ ବିଜେପିର ସ୍ଥିତି ସୁଦୃଢ଼ ଥିବାରୁ ପଶ୍ଚିମ ଓଡ଼ିଶାକୁ ହାତଛଡ଼ା କରି ନ ପାରନ୍ତି ଧର୍ମେନ୍ଦ୍ର । ଏପରି କି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଦିଲ୍ଲୀରେ ପାଳିବା, ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଟ୍ବିଟ୍‌ କରିବା, ଦଳୀୟ ନେତାଙ୍କ ସହ ସମ୍ବଲପୁରୀ ଦିବସ ପାଳିବା, ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସାଙ୍ଗରେ ଧରି ପଶ୍ଚିମ ଓଡ଼ିଶାକୁ ଧର୍ମେନ୍ଦ୍ରଙ୍କ ମାରାଥନ ଗସ୍ତ ସଙ୍କେତ ଦେଉଛି ଯେ ପଶ୍ଚିମ ଓଡ଼ିଶା ପ୍ରତି ଅଧିକ ଢଳୁଛନ୍ତି ଧର୍ମେନ୍ଦ୍ର । ମୋଦି ଓ ଅମିତ ଶାହଙ୍କ ବ୍ଲୁ ଆଏଡ୍‌ ବଏ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ପରବର୍ତ୍ତୀ ରାଜନୈତିକ ପଦକ୍ଷେପକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସେ ନିଜେ ନିର୍ବାଚନ ଲଢ଼ିବା ନେଇ ଆଗ୍ରହ ଦେଖାଇବା ଏହି ଚର୍ଚ୍ଚାକୁ ଅଧିକ ଖୋରକ ଯୋଗାଇଛି । ବିଶେଷକରି ଉତ୍ତରପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଭଳି ରାଜ୍ୟର ନିର୍ବାଚନ ସମୟରେ ପ୍ରଭାରୀ ଓ ଦଳୀୟ ଦାୟିତ୍ୱ ତୁଲାଇଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ଓ ଜାତୀୟ ରାଜନୀତିରେ ଦବ୍‌ଦବା ରଖୁଥିବା ଏହି ନେତା କେଉଁଠୁ ଲଢ଼ିବେ ସେ ନେଇ ଏବେ ଚର୍ଚ୍ଚା ।

Show More

Related Articles

Back to top button