Breaking PLUSଦେଶ ବିଦେଶମୁଖ୍ୟ ଖବର

ଉତ୍ତେଜକ ପୋଷାକ ପିନ୍ଧିଲେ ହେବନି ଯୌନ ଉତ୍ପୀଡନର କେସ୍

କୋର୍ଟଙ୍କ ଟିପ୍ପଣୀ ପରେ ସୃଷ୍ଟି ହେଲା ବିବାଦ

ଉତ୍ତର କେରଳର କୋଝିକୋଡ ଜିଲ୍ଲା ଅଦାଲତଙ୍କ ଏକ ଯୌନ ଉତ୍ପୀଡନ ମାମଲାରେ ଦେଇଥିବା ଟିପ୍ପଣୀକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଅଭିଯୁକ୍ତକୁ କୋର୍ଟ ଆଗୁଆ ଜାମିନ ପ୍ରଦାନ କରିଥିବାରୁ ସାଧାରଣରେ ପ୍ରକାଶ ପାଇଛି ଅସନ୍ତୋଷ । ଅଦାଲତ କହିଛନ୍ତି, ‘ଯଦି ମହିଳା କିମ୍ବା ଯୁବତୀ ଉସକାଇବା ଭଳି ଡ୍ରେସ୍ ପିନ୍ଧନ୍ତି ତେବେ ଅଭିଯୁକ୍ତ ବିରୁଦ୍ଧରେ ଆଇପିସିର ଧାରା ୩୫୪ ଆଧାରରେ ଯୌନ ଉତ୍ପୀଡନ ମାମଲା ହୋଇପାରିବ ନାହିଁ’। ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଜଷ୍ଟିସ୍‌ ଏସ. କୃଷ୍ଣକୁମାର, ଲେଖକ ସିବିକ୍‌ ଚନ୍ଦ୍ରନଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିବା ସହିତ ଏଭଳି ଟିପ୍ପଣୀ ଦେଇଛନ୍ତି । ଚନ୍ଦ୍ରନ ବିରୁଦ୍ଧରେ ଦୁଇ ବର୍ଷ ପୂର୍ବରୁ ଜଣେ ଲେଖିକା ଦୁର୍ବ୍ୟବହାର କରିଥିବାର ଅଭିଯୋଗ କରିଥିଲେ । ଅଦାଲତଙ୍କ ରାୟକୁ ନେଇ ମହିଳା ସାମାଜିକ କର୍ମୀ ଏବଂ ପୂର୍ବତନ ବିଚାରପତି ଆପତ୍ତି ଉଠାଇଛନ୍ତି । କେବଳ ସେତିକି ନୁହେଁ ଏହି ମାମଲାରେ ଏବେ ହାଇକୋର୍ଟ ହସ୍ତକ୍ଷେପ କରିବା ଉଚିତ ବୋଲି ଜଣେ ପୂର୍ବତନ ବିଚାରପତି କହିଛନ୍ତି । ଅନ୍ୟପଟେ ପୀଡିତା କହିଛନ୍ତି, ବିଚାରପତିଙ୍କ ରାୟକୁ ନେଇ ସେ ଖୁବଶୀଘ୍ର ହାଇକୋର୍ଟ ଯିବେ । ମାମଲାର ଶୁଣାଣି ବେଳେ ବିଚାରପତି କହିଥିଲେ, ଅଭିଯୁକ୍ତ ନିଜ ପକ୍ଷ ରଖିବା ସହିତ ପ୍ରମାଣ ଆକାରରେ ଯେଉଁ ଫଟୋ କୋର୍ଟଙ୍କ ନିକଟରେ ଉପସ୍ଥାପନ କରିଥିଲେ ସେଥିରେ ସ୍ପଷ୍ଟ ଜଣାପଡୁଥିଲା ଯେ, ଅଭିଯୋଗକାରୀ ଏଭଳି ଡ୍ରେସ ପିନ୍ଧିଥିଲେ ଯାହାକି ଉସକାଇବା ଭଳି ଥିଲା । ଏ କ୍ଷେତ୍ରରେ ଆଇପିସିର ଧାରା ୩୫୪କେ ଅନୁଯାୟୀ ଅଭିଯୁକ୍ତ ବିରୁଦ୍ଧରେ ମାମଲା ହୋଇପାରିବ ନାହିଁ’।

ଅନ୍ୟପଟେ ସୋସିଆଲ ମିଡିଆର କିଛି ଫଟୋକୁ ନେଇ ଅଦାଲତଙ୍କ ନିକଟରେ ଉପସ୍ଥାପନା କରାଯାଇଥିବା ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଦାଲତ ଏହା ମଧ୍ୟ କହିଛନ୍ତି, ‘ଘଟଣାର ୨ ବର୍ଷ ପରେ କାହିଁକି ମାମଲା ରୁଜୁ କଲେ ପୀଡିତା । କାହିଁକି ତୁରନ୍ତ ଥାନାରେ ଅଭିଯୋଗ କରିନଥିଲେ । ମାମଲା ୨୦୨୦ ଫେବୃଆରୀରେ ଘଟିଥିଲେ ସୁଦ୍ଧା ୨ ବର୍ଷ ପରେ ପୀଡିତା ଏଫଆଇଆର୍‌ ଦେଇଛନ୍ତି’। ପୀଡିତା ମହିଳାଙ୍କ କହିବା କଥା ଯେ, ଲେଖକଙ୍କ ଏକ ସମ୍ମୀଳନୀ ଚାଲିଥିବା ବେଳେ ଏଭଳି ଘଟଣା ଘଟିଥିଲା । ଅଭିଯୋଗରେ ମହିଳା କହିଥିଲେ ଯେ, ଅଭିଯୁକ୍ତ ଚନ୍ଦ୍ରନ ବାରମ୍ବାର ତାଙ୍କୁ ଫୋନ କରୁଥିଲେ ଏବଂ ହଇରାଣ କରୁଥିଲେ । ଏଭଳି ହରକତ୍ ଅସହ୍ୟ ହେବାରୁ ବାଧ୍ୟ ହୋଇ ସେ ମାମଲା ରୁଜୁ କରିଥିଲେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତ ସିବିକ୍‌ ଚନ୍ଦ୍ରନଙ୍କ ବୟସ ହେଉଛି ୭୪ ବର୍ଷ । ତେଣୁ ପରିଣତ ବୟସରେ ଜଣେ କିଭଳି ଭାବେ ଯୌନ ଉତ୍ପୀଡନ କରିବେ ଏବଂ ଦୁର୍ବ୍ୟବହାର କରିବେ ବୋଲି କୋର୍ଟ କହିଛନ୍ତି । କୋର୍ଟ ପ୍ରଶ୍ନ କରିଥିଲେ ଯେ, ପରିଣତ ବୟସରେ ଜୋର ଜବରଦସ୍ତ ଜଣେ କିଭଳି ମହିଳାଙ୍କୁ କୋଳରେ ବସାଇପାରିବେ ଏବଂ ପ୍ରାଇଭେଟ୍‌ ପାର୍ଟକୁ ସ୍ପର୍ଶ କରିପାରିବେ । ତେଣୁ ଏ ଅଭିଯୋଗରେ ଅଭିଯୁକ୍ତକୁ ଆଗୁଆ ଜାମିନ ପ୍ରଦାନ କରାଯିବା ଉଚିତ ।

Show More

Related Articles

Back to top button