ଓଡ଼ିଆ ଗଳ୍ପଓଡ଼ିଶାଜୀବନଚର୍ଯ୍ୟା

ଆସନ୍ତୁ ପଢିବା ଆଜିର ରାତ୍ରି କାହାଣୀ

ବରକୋଳି ଓ ସରସ୍ୱତୀ

ବରକୋଳି ଓ ସରସ୍ୱତୀ

ରଚନା: ଅରବିନ୍ଦ ଦାସ

– ବରକୋଳି ଏକ ଶୁଭଫଳ ଓ ସରସ୍ୱତୀ ପୂଜାଦିନ ମା ସରସ୍ୱତୀଙ୍କୁ ଆଗେ ଏ ଫଳ ଅର୍ପଣ କରିସାରି ନିଜେ ଖାଇଲେ ଏହାଦ୍ୱାରା ବର ବି ମିଳେ।”

ପିଲାବେଳେ ବୀଣାପାଣି କଥା ଶୁଣି ଫେଁ ଫେଁ ହୋଇ ହସିଥିଲା ପ୍ରସନ୍ନ ଓ ମୁଠାଏ ପାଚିଲା ବରକୋଳି ନିଜ ପାଟିରେ ପୁରେଇ ଦେଇ ସେଦିନ କହିଥିଲା,

-ତୋ ଭଳି ବୋକି ମୁଁ ଦୁନିଆରେ ଦେଖିନି। ସରସ୍ୱତୀ କଣ ବରକୋଳି ଖାଆନ୍ତି ? ଖଟା କୋଳି ଖାଇ ତାଙ୍କ ଦାନ୍ତ ଗଳି ପଡିବନି ?”
ଗାଁରେ ସରସ୍ୱତୀ ପୂଜା ପୂର୍ବଦିନ , ବୀଣାପାଣି ଘର ପଛପଟ ବାରିରେ ଥିବା ବରକୋଳି ଗଛରୁ ପାଚିଲା କୋଳି ତୋଳୁ ତୋଳୁ ପ୍ରସନ୍ନ ମୁହଁରୁ ଏଇ କଥାପଦକ ଶୁଣି ବଡ଼ ବଡ଼ ଆଖି କରି ବୀଣା ଚଟ କିନା ପ୍ରସନ୍ନ ମୁହଁରେ ହାତ ରଖି କହିଲା,

-ପାଟିରୁ କାଢେ ସେ କୋଳି।ଲୋଭୀ କେଉଁଠିକାର।ଠାକୁରାଣୀଙ୍କ ନାଁରେ ଏମିତି କହିଲେ ପାପ ହୁଏ। ସରସ୍ୱତୀ ପରା ବିଦ୍ୟାଦାତ୍ରୀ, ପାଠ ଦିଅନ୍ତି।ମୂର୍ଖ ହୋଇଯିବୁ ତୁ। କାନ ମୋଡି ହୋଇ ଠାକୁରାଣୀଙ୍କୁ କ୍ଷମା ମାଗେ।”

ଚ୍ଛେପଢ଼ୋକି ସେଦିନ ପ୍ରସନ୍ନ କହିଥିଲା,

-ଠିକ ଅଛି , ଆସନ୍ତାକାଲି ସ୍କୁଲରେ ସରସ୍ୱତୀ ପୂଜାବେଳେ ମୂର୍ତ୍ତି ସାମ୍ନାରେ ମୁଁ ଭୁଲ ମାଗିନେବି।”

ଚଟକିନା ବୀଣା କହିଥିଲା,

-କାଲି କାହିଁକି ? ଆଜି ମୋତେ ଅନାଇ କ୍ଷମା ମାଗେ। ମୁଁ ପରା ସରସ୍ୱତୀ। ମୋ ନାଁ ପରା ସେଇଥିପାଇଁ ବାପା ବୀଣାପାଣି ଦେଇଛନ୍ତି।”

ବଲବଲ କରି ଥରେ ଆକାଶକୁ, ଥରେ ବରକୋଳି ଗଛକୁ ଅନାଇ, ପାଟିରୁ କୋଳି ତକ ପାଟିରୁ କାଢି ପ୍ରସନ୍ନ ନିଜ ଦୁଇ କାନକୁ ଧରି ଠିଆ ହୋଇଥିଲା ବୀଣାପାଣି ସାମ୍ନାରେ। ତାକୁ ଲାଗିଲା ସତରେ ଯେମିତି ସ୍ୱୟଂ ମା ସରସ୍ଵତୀ ବିରାଜମାନ କରିଛନ୍ତି।

ଏଇ ସମୟରେ ସ୍କୁଲସାଙ୍ଗ ଗୋବରା, ପ୍ରସନ୍ନକୁ ଖୋଜି ଖୋଜି ସେଇଠି ପହଞ୍ଚି ଯାଇ ସେଠାର ଦୃଶ୍ୟ ଦେଖି ହୋ ହୋ ହୋଇ ହସିପକାଇ ଥିଲା। ଲାଜେଇ ଯାଇ ଗାଁ ଦାଣ୍ଡକୁ ଦୌଡିଥିଲା ପ୍ରସନ୍ନ।
ସ୍କୁଲପାଖ ଆମ୍ବଗଛ ମୂଳେ ବସି ପ୍ରସନ୍ନ ଠାରୁ ସବୁ ଶୁଣି ଗୋବରା କହିଲା,

-କିରେ, ଫେବୃଆରୀ ମାସରେ ସରସ୍ୱତୀ ପୂଜା ପଡିଲା ବେଳକୁ ବରକୋଳି ଆଉ କେତେ ଥାଏ ଗଛରେ ? ସବୁପିଲା ଟେକା ମାରି କୋଳି ଝଡାଇ ଖାଇଲାବେଳେ ଆମେ କଣ ମୁହଁରେ ତୁଣ୍ଡି ବାନ୍ଧି ବସିବା ?”

-କିନ୍ତୁ ବୀଣାପାଣି ତ କହିଲା…..

ପ୍ରସନ୍ନ ନିଜ କଥା ସମ୍ପୂର୍ଣ୍ଣ କରିବା ପୂର୍ବରୁ ଗୋବରା କହିଲା,

– ପାଟି ଚୁପ କର। ସେ ଟୋକୀ ବହୁତ ଚାଲାଖ। ତାଙ୍କ ବାରି କୋଳି ଭାରି ମିଠା ବୋଲି ଓ ଆମେ ଯେମିତି ନ ଖାଇବା, ସେଥିପାଇଁ ଏସବୁ ବାହାନା କରୁଛି। ତାଙ୍କ ଘର ଛାତ ଉପରେ କୋଳି ସବୁ ଶୁଖାହୋଇଛି ଓ ହାଣ୍ଡିରେ ଲୁଣ ପଡି ପାଗ ହୋଇ ଖରାରେ ରଖନ୍ତି ତା ଜେଜେମା।ଏବେ ତ ତାଙ୍କ ଗଛରେ ଆଉ ବେଶୀ କୋଳି ବି ନାହିଁ, ଖାଇବା ଆଉ କଣ ? ତୁ ମାନେ କି ନମାନେ, ତାରି ପ୍ରେମରେ ପଡିଛୁ ବୋଲି, ସେ ଟୋକୀ ତୋତେ ଭୁଆଁ ଭୁଲୋଉଛି। ଏବେଠୁ ତୋତେ କାନ ମୋଡାଇଲାଣି, ଆଗକୁ କଣ ହେବ ଭଗବାନ ଜାଣନ୍ତି। ହେଲେ ତମ ଦୁହିଁଙ୍କ ଜାତି ଅଲଗା। ତା ବାପା, ମା କଣ ରାଜି ହେବ ? ଦୁହେଁ ପୁଣି ଟିଚର।”

ଟିକେ ରହି ଗୋବରା, ପ୍ରସନ୍ନ କାନରେ କିଛି କଥା ଫୁସ ଫୁସ ହୋଇ କହିଲା। ଆଶ୍ଚର୍ଯ୍ୟ ହୋଇ ବଡ଼ ବଡ଼ ଆଖି କରି ଅନେଇଲା ପ୍ରସନ୍ନ। ଗଳା ଖଙ୍କାରି ଗୋବରା କହିଲା,

-ମୁଁ ଯାହା କହିଲି, ସେଇକଥା ତାକୁ କହିଦେବୁ। ଦେଖିବୁ ପୁରା ଚୁପ ହୋଇଯିବ।”

ଓପରଓଳି ପ୍ରସନ୍ନ ସ୍କୁଲ ପୂଜାରେ ସଜାହେବା ପାଇଁ ରଙ୍ଗୀନ କାଗଜ ଝାଲର କାଟିଲାବେଳେ ବୀଣାପାଣିକୁ ଧୀର ସ୍ୱରରେ କହିଲା,

-ତୋ ନା ବୀଣାପାଣି ହେଲେ, ମୋ ନାଁ ବି ବରଦାପ୍ରସନ୍ନ। ମାନେ ମୋ ଉପରେ ସରସ୍ୱତୀ ପ୍ରସନ୍ନ, ଖୁସି ଅଛନ୍ତି। ହୁଏତ ବଡ଼ ବଡ଼ ପରୀକ୍ଷାରେ ସେ ମୋତେ ପାସ କରାଇ ଦେବେ। ତେଣୁ ସରସ୍ୱତୀ ପୂଜା ପୂର୍ବରୁ ମୁଁ କୋଳି ଖାଇଲେ ପାପ କାହିଁକି ହେବ ?”

-ଆଛା, ସେ ଗଜ ମୂର୍ଖ ଗୋବରା ତୋତେ ଏସବୁ ଶିଖାଇଛି ? ଖାଲି କଣ ବରଦାପ୍ରସନ୍ନ ନାଁ ରଖିଦେଲେ, ମା ସରସ୍ୱତୀ ଖୁସି ହୋଇ କ୍ଳାସରେ ଫାଷ୍ଟ ହେବାକୁ ବର ଦେଇଦେବେ ? ଏଥରବି ହାପଇଅର୍ଲି ପରୀକ୍ଷାରେ ତୁ ଅଲ ସବଜେକ୍ଟରେ ପାସ କରିନୁ।ହିନ୍ଦୀ, ସଂସ୍କୃତରେ ଫେଲ ହୋଇଛୁ।ଓଡ଼ିଆରେ ବି ଜଷ୍ଟ ପାସ, ଗ୍ରେସ ମାର୍କ ଯୋଗୁଁ। ଲାଙ୍ଗୁଏଜ ହେଉନି ତୋର।”
ମୁହଁଟା ଆମ୍ବିଳା ହୋଇଗଲା ପ୍ରସନ୍ନ’ର। ଏ ହିନ୍ଦୀ ଓ ସଂସ୍କୃତ କାହିଁକି ସିଲାବସରେ ରହୁଛି କେଜାଣି ? ସେଥିରେ ପୁଣି ବୀଣାପାଣି ଙ୍କ ବାପା ହେଉଛନ୍ତି ସଂସ୍କୃତ ପଣ୍ଡିତ। ସଂସ୍କୃତ ଶ୍ଳୋକ ସବୁ ମୁଖସ୍ତ ତାର। ତା ମା ହିନ୍ଦୀ ଟିଚର ବୋଲି ହିନ୍ଦୀ ଭଲ ହୁଏ ବୀଣା’ର। ପରୀକ୍ଷାରେ ସଂସ୍କୃତ ଓ ହିନ୍ଦୀରେ କଣ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଆସିବ ଅଥବା ଘରେ ସାର, ଦିଦି ପରୀକ୍ଷା ପ୍ରଶ୍ନପତ୍ର ତିଆରି କଲାବେଳେ ତାକୁ ଆଣି ଦେବାକୁ ଅନୁରୋଧ କରେ ପ୍ରସନ୍ନ।

ଘରେ ବାପା ପ୍ରସନ୍ନ କୁ କୁହନ୍ତି,

-ଝିଅ ପିଲା ହୋଇ ବୀଣାପାଣି ସଂସ୍କୃତରେ, ହିନ୍ଦୀରେ ଏତେ ନମ୍ବର ରଖୁଛି, ଆଉ ତୁ ଫେଲ ହେଉଛୁ ?

ବୋଉ ସେପଟୁ କୁହେ,

-ମଲା ମୋର, ରଘୁ ପଣ୍ଡିତ ଓ ସୁଜାତା ମାଷ୍ଟରାଣୀ ତାଙ୍କ ଝିଅକୁ ଅଧିକ ନମ୍ବର ଦେଇ ଜାଣିଶୁଣି ମୋ ପୁଅକୁ ଫେଲ କରୁଛନ୍ତି।ଅଙ୍କ, ବିଜ୍ଞାନରେ ପାସ କରୁଥିବା ମୋ ପିଲା କଣ ସଂସ୍କୃତ, ହିନ୍ଦୀରେ ଫେଲ ହୁଅନ୍ତା ! ଆଉ ଏ ଟୋକା ଯାଇ ତାଙ୍କ ଘରେ ବରକୋଳି ଜଗୁଛି।”

ପ୍ରସନ୍ନ ଥରେ ଏଇ ବରକୋଳି ଓ ସରସ୍ୱତୀ ପୂଜା କଥା ସ୍କୁଲରେ ବିଜ୍ଞାନ ପଢ଼ାଉଥିବା ରେଡ୍ଡୀସାରଙ୍କୁ କହିଲାବେଳେ , ସାର ହସିଦେଇ କହିଥିଲେ,

-ଶୀତ ଦିନିଆ ଏଇ ବରକୋଳିରେ ବହୁତ ଆଣ୍ଟିଅକ୍ସିଡେଣ୍ଟ ଜିନିଷ ଅଛି ବୋଲି ଦେହକୁ ହିତ। ତେବେ ଅଧିକ ଖାଇଲେ ଥଣ୍ଡା, କାଶ ହେବ। ସରସ୍ୱତୀ ପୂଜାପରେ ଏଇଥିପାଇଁ ହୁଏତ ଖାଇବାକୁ କହୁଥିବେ ଯେ କୋଳି ପାଚିଥିବ ଓ ମିଠାପଣ ଆସିବ। ଆମ ତେଲୁଗୁରେ ଏହାକୁ ରେଗି ପାଣ୍ଡୁ ବୋଲି କହୁ। ମକର ସଂକ୍ରାନ୍ତି ପୂର୍ବଦିନ , ଭୋଗି ପର୍ବ ପାଳନ କଲାବେଳେ ପିଲାଙ୍କୁ ଗାଧେଇ ଦେଇ ଯେଉଁ ପୂଜାଥାଳି ବନ୍ଦୋଉ, ସେଥିରେ ବରକୋଳି ଥାଏ। ଏଇ ବରକୋଳି ଆୟୁବର୍ଦ୍ଧକ ଓ ଅନିଷ୍ଠ ବିନାଶକାରୀ ବୋଲି କୁହନ୍ତି।ତେବେ ବରକୋଳି କେବଳ ସରସ୍ୱତୀ କାହିଁକି, ଅନ୍ୟମାନଙ୍କର ବି ପ୍ରିୟ। ”

ନିଜ ଘରୁ କୋଳି ଆଚାର ଆଣି ପ୍ରସନ୍ନ କୁ ଦେଇ ବୀଣାପାଣି କୁହେ,

-କଞ୍ଚା ବରକୋଳି ଅପେକ୍ଷା ପାଚିଲା ବରକୋଳି ଆଚାର ବେଶୀ ସୁସ୍ୱାଦୁ। ଏଇ ଲୁଣ ପକା ପାଚିଲା କୋଳି ନେଇ ମାଉସୀଙ୍କୁ ଦେବୁ। ଡାଲି ରେ ଏଇ କୋଳି ସହ ଚିନି କି ଗୁଡ଼ ପକାଇ , ରସୁଣ ଭୃସଙ୍ଗ ପତ୍ର ବଘରା ଖଟାମିଠା ଡାଲିର ସ୍ୱାଦ ଏକଦମ ଅମୃତ।ଦୁଇ ଥାଳି ଭାତ ଉଠିଯିବ। ଆଉ ହଁ, ସରସ୍ୱତୀ ପୂଜାରେ କୋଳି ଖାଇ କଣ ବର ମାଗିଲୁ ଠାକୁରାଣୀଙ୍କୁ ?”

ଚୁପ ହୋଇ ପ୍ରସନ୍ନ ଭାବେ ସତରେ ସେ କି ବର ମାଗିଥିଲା ? ପାଠ ନା ଅନ୍ୟ କିଛି ?
ସାଙ୍ଗମାନଙ୍କ ମେଳରେ ପ୍ରସନ୍ନ, ଥରେ ଏଇ ବରକୋଳି ଓ ସରସ୍ୱତୀଙ୍କ ପ୍ରସଙ୍ଗ ଉଠାଇଲା ବେଳେ ସନାତନ ଫେଁ କିନା ହସି କହିଥିଲା,

-ସରସ୍ୱତୀ ଠାକୁରାଣୀ ହେଲେବି, ଝିଅ ପିଲା ପରା। ବରକୋଳି ସେଥିପାଇଁ ପସନ୍ଦ କରୁଥିବେ। ସରସ୍ୱତୀପୂଜା ପୂର୍ବରୁ ଆମେ ବରକୋଳି ଖାଇଲେ ଯଦି ସେ ରାଗିବେ ଓ ବିଦ୍ୟା ଦେବେନି, ଫେଲ କରିବେ ତେବେ କରନ୍ତୁ।ସରସ୍ୱତୀ ଏକା ପାଠ ଦିଅନ୍ତିନି।ଆମର ଗଣେଶ ବି ଅଛନ୍ତି।ଗଣେଶ ବି ପୁଅପିଲା। ସେ ଲଡୁ, ରାଶିଲଡୁ ଭଲ ପାଆନ୍ତି। ଆମେ ତାଙ୍କୁ ଡାକିବା। ଗଣେଶ ଓ ସରସ୍ୱତୀ ନିଶ୍ଚେ ସେମାନଙ୍କ ଭିତରେ ପିଲାଙ୍କ ବିଭିନ୍ନ ସବଜେକ୍ଟରେ ପାସ, ଫେଲ କଥା ବୁଝାମଣା କରୁଥିବେ।”

ଗୋବରା ଟିକେ ଚିନ୍ତା କରି କହିଲା,

-ଦେଖ ପ୍ରସନ୍ନ, ମୋତେ ଲାଗୁଛି, ସରସ୍ୱତୀ ବୋଧେ ଲାଙ୍ଗୁଏଜ ସବଜେକ୍ଟ ଠାକୁରାଣୀ ଓ ସେଥିପାଇଁ ତୁ ହିନ୍ଦୀ, ସଂସ୍କୃତ ରେ ଫେଲ ଏବଂ ଓଡ଼ିଆରେ ଅଳ୍ପ ମାର୍କ ରଖୁଛୁ। ହେଲେ ଗଣେଶ ଅନ୍ୟ ସବଜେକ୍ଟ ଠାକୁର ବୋଲି, ତୁ ଅଙ୍କ, ବିଜ୍ଞାନ, ଇତିହାସ ଭୂଗୋଳ ଇତ୍ୟାଦିରେ ଭଲ କରୁଛୁ। ଆର୍ଟସ ନପଢି ସାଇନ୍ସ ପଢ଼ିବୁ ତୁ।”

ଛେପ ଢ଼ୋକି ପ୍ରସନ୍ନ କହିଥିଲା,

– ସରସ୍ୱତୀ ଯଦି ଲାଙ୍ଗୁଏଜ ଠାକୁରାଣୀ, ସେ ରାଗିଲେ ଆମର ଇଂରାଜୀରେ ଖରାପ ହେବ।”

ଗୋବରା ଚଟ କିନା କହିଥିଲା,

-ନା, ଇଂରାଜୀ ପରା ବିଦେଶୀ ଭାଷା। ସରସ୍ୱତୀ ଆମ ଭାରତୀୟ ଭାଷା ବୋଲି ସଂସ୍କୃତ, ହିନ୍ଦୀ, ଓଡ଼ିଆ ସବଜେକ୍ଟ ଦେଖୁଥିବେ।ତେବେ ବ୍ୟସ୍ତ ହଅନା, ଗଣେଶଙ୍କୁ ଅଧିକା ଚୁଡାଘଷା, ଲଡୁ ଚଢାଇଲେ ନିଶ୍ଚେ ପାସ କରିଯିବା।”

ସରସ୍ୱତୀ ପୂଜା ଦିନ ସ୍କୁଲରେ ଭୋଜିରେ ପ୍ରତିବର୍ଷ ଏକା ମେନୁ, ଭାତ, ଡାଲି, ବନ୍ଧାକୋବି ମଟର ତରକାରୀ, ଟମାଟୋ ଖଜୁରୀ ଖଟା, ଆଳୁଫୁଲକୋବି କଷା ଓ କ୍ଷୀରି। ପ୍ରସନ୍ନ ଶୁଣେ ନିଜ ସାଙ୍ଗମାନେ ଆଲୋଚନା କରନ୍ତି ଯେ ସରସ୍ୱତୀ, ଗଣେଶ ପୂଜା ଚାନ୍ଦା ଟଙ୍କାରୁ ସାର, ଦିଦି ମାନେ କିଛି ହଡ଼ପ କରି ପରେ ଆଇଁଷ ଭୋଜି କରନ୍ତି। ଗୋବରା କହୁଥିଲା ଫିଷ୍ଟ ପରେ ,ବୀଣାପାଣି ଘରକୁ କାଳେ କ୍ଷୀରି ପ୍ୟାକ ହୋଇ ଯାଏ। ତେବେ ବୀଣାପାଣି ପାଇଁ ତା ଦୁର୍ବଳତା ଦିନକୁ ଦିନ ବଢ଼ୁଥିଲା।

ଥରେ ବୀଣାକୁ ଗୋଟେ ବଡ଼ ପ୍ୟାକେଟ କିଣା କଲିକତି ବରକୋଳି ଦେଲାବେଳେ ହସିଦେଇ ସେ ପ୍ରସନ୍ନ କୁ କହିଥିଲା,

-ଏ ସରସ୍ୱତୀକୁ ପାଇବାକୁ ହେଲେ ତୋତେ ଭଲ ପାଠ ପଢି ଗୋଟେ ଭଲ ଚାକିରୀ କରିବାକୁ ପଡିବ।ନହେଲେ ଆମ ଘରେ ରାଜି ହେବେନି। ଖାଲି ବରକୋଳିରେ ନୁହେଁ, ପାଠ ପଢିଲେ ସନ୍ତୁଷ୍ଟ ହୁଅନ୍ତି ସରସ୍ୱତୀ।”

ମ୍ୟାଟ୍ରିକରେ ଓ କଲେଜରେ ଆଇ ଏ, ବିଏ ଏବଂ ଏମ୍ ଏ, ପରୀକ୍ଷାରେ ବୀଣାପାଣି ଫାଷ୍ଟ ଡିଭିଜନ ପାଇଥିଲା ବେଳେ, ବରଦାପ୍ରସନ୍ନ ସେକେଣ୍ଡ ଡିଭିଜନ ହିଁ ପାଇଥିଲା। ଦୁହେଁ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ରାଜ୍ୟ ପ୍ରଶାସନିକ ଅଧିକାରୀ ପରୀକ୍ଷା ସହ ,ବ୍ୟାଙ୍କ ଅଫିସର ଇତ୍ୟାଦି ପରୀକ୍ଷା ବି ଦେଉଥିଲେ।ଗାଁରେ ସମସ୍ତଙ୍କ ବିଶ୍ବାସ ଥିଲା ବୀଣାପାଣି ଗୋଟେ ଭଲ ଚାକିରୀ ପାଇବ।
ପରୀକ୍ଷା ଫଳ ବାହାରିଥିଲା।
ସେଦିନ ସାହାସ କରି ପ୍ରସନ୍ନ ସିଧା ପହଞ୍ଚି ଥିଲା ବୀଣାପାଣି ଘରେ ଓ ରଘୁ ସାରଙ୍କୁ କହିଥିଲା,

-ମୁଁ ଓ ବୀଣା ପରସ୍ପରକୁ ଭଲ ପାଉ। ତାକୁ ମୁଁ ସାରାଜୀବନ ଖୁସି ରଖିବି। ଆମ ଘରେ ସମସ୍ତେ ରାଜି। ଆପଣ ଦୁହେଁ ଆଶୀର୍ବାଦ ଦେଲେ ସରସ୍ୱତୀ ପୂଜାଦିନ ଆମେ ଦୁହେଁ ବିବାହ କରନ୍ତୁ।”

ରଘୁସାର ଓ ସୁଜାତା ଦୁହେଁ ଅନାଉଥିଲେ ବୀଣାପାଣି କୁ।

ପ୍ରସନ୍ନ ପୁଣି କହିଲା,

-ବ୍ୟାଙ୍କ ବଦଳରେ ମୋତେ ଓଏଏସ ରେ ଯୋଗ ଦେବାପାଇଁ ବୀଣାପାଣି କହିଛି।”

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କେବଳ ବ୍ୟାଙ୍କ ଅଫିସର ନୁହେଁ, ରାଜ୍ୟ ପ୍ରଶାସନିକ ଅଧିକାରୀ ପରୀକ୍ଷାରେ ବି କୃତକାର୍ଯ୍ୟ ହୋଇଥିଲା ପ୍ରସନ୍ନ।ବୀଣାପାଣିକୁ କୌଣସି ଚାକିରୀ ମଳି ନଥିଲା।

ଛାତ ଉପରେ ଉପରେ ବୀଣା, ପ୍ରସନ୍ନକୁ ବରକୋଳି ଖୁଆଇ ଦେଉଥିଲାବେଳେ ପାଖଘର ଛାତରେ ଠିଆହୋଇ ସନାତନ ଦାସ , ଗୋବରାକୁ କହୁଥିଲା,

-ଦେଖ, ଏ ଟୋକୀ ଆଗରୁ ପ୍ରସନକୁ ସବୁବେଳେ ସରସ୍ୱତୀ ପୂଜା ନଗଲେ ବରକୋଳି ଖାଇବାକୁ ବାରଣ କରୁଥିଲା, ଆଉ ଆଜି ନିଜେ ଖୁଆଇ ଦେଉଛି।
ଆଜି ସରସ୍ୱତୀ ରାଗିବେନି ?ବରଦାନ କେମିତି କରିବେ?”

ଦୀର୍ଘନିଶ୍ବାସ ଛାଡି ଗୋବରା ଓରଫ ଗୋବର୍ଦ୍ଧନ ମହାନ୍ତି କହିଲା

– ସଂରକ୍ଷଣ ଯୋଗୁଁ, ବରଦାପ୍ରସନ୍ନ ଉପରେ ସରସ୍ୱତୀ ଡବଲପ୍ରସନ୍ନ ହୋଇ ସବୁ ଚାକିରୀ ଦେଇଛନ୍ତି, ଏବଂ ବୀଣାପାଣି ପଟ୍ଟନାୟକକୁ ମା ସରସ୍ଵତୀ ଆଗରୁ କେବଳ ପାଠ ଦେଉଥିଲେ, ହେଲେ ଏବେ ବରଦାପ୍ରସନ୍ନ ରୂପରେ ବର-ଦାନ କରିଛନ୍ତି।”
(©ଅରବିନ୍ଦଦାସ)

=≠≠=====≠==ସମାପ୍ତ==≠========

🙏 ଶୁଭ ରାତ୍ରି 🙏

Show More

Related Articles

Back to top button