ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି

ଆଜି ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ୩ ଦିନିଆ ଗସ୍ତରେ ସମୟରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାର ଆୟୋଜନ ରହିଛି । ଆଜି ଅର୍ଥାତ୍ ସୋମବାର ଦିନ ରାଷ୍ଟ୍ରପତି ପୂର୍ବାହ୍ନ ୧୧ଟା ୨୫ ମିନିଟ୍ ରେ ବାରିପଦାରେ ପହଁଞ୍ଚିବେ । ଏହାପରେ ସେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍ଦଘାଟନ କରିବେ । ଏହାପରେ ସେ ଅପରାହ୍ନ ୨ଟା ୩୫ରୁ ୩ଟା ୧୫ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆର୍ଦଶ ଆବାସିକ ବିଦ୍ୟାଳୟକୁ ଲୋକାର୍ପଣ କରିବା ନେଇ କାର୍ଯ୍ୟକ୍ରମ ରହିଛି । ସେହିପରି ମଙ୍ଗଳବାର ଦିନ ରାଷ୍ଟ୍ରପତି ମୟୂରଭଞ୍ଜର ପାହାଡ଼ପୁର ଗ୍ରାମକୁ ଗସ୍ତ କରିବେ । ସେଠାରେ ସ୍ବର୍ଗତ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ମହାମହିମ ପ୍ରୟାସ ଟ୍ରଷ୍ଟ ଦ୍ବାରା ନିର୍ମିତ ଏକ ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟନ କରିବେ। ସେହିଦିନ ସକାଳ ୮ଟା ୫୦ରୁ ୯ଟା ୧୫ ମଧ୍ୟରେ ଏସ୍ଏଲଏସ୍ ମେମୋରିଆଲ ଆବାସିକ ସ୍କୁଲ ପରିସରରେ ସମାଧି ସ୍ଥଳକୁ ଯିବେ। ସେଠାରେ ଏସ୍ଏଲଏସ୍ ଟ୍ରଷ୍ଟ ସ୍କୁଲର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସଂପର୍କୀୟଙ୍କୁ ସମ୍ବୋଧିତ କରିବେ। ଏହାପରେ ବିଦ୍ୟାଳୟ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।ଏହାପରେ ରାଷ୍ଟ୍ରପତି ସକାଳ ବାଦାମପାହାଡ଼ ରେଳଷ୍ଟେସନରୁ ତିନୋଟି ନୂଆ ଟ୍ରେନର ଉଦ୍ଘାଟନ କରିବେ। ଏହାସହ ମହାମହିମ ରାଇରଙ୍ଗପୁର ଡାକ ଡିଭିଜନର ଏକ ସ୍ମାରକୀ ଲଫାପା ଜାରି କରିବେ। ଏହାପରେ ବାଦାମପାହାଡ଼ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଶିଳାନ୍ୟାସ କରିବେ। ପୂର୍ବାହ୍ନ ୧୦ଟା ୪୫ରୁ ୧୧ଟା ୨୫ ଭିତରେ ସେ ବାଦାମପାହାଡ଼-ଶାଲିମାର ଏକ୍ସପ୍ରେସରେ ବାଦାମପାହାଡ଼ ଠାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିବେ। ୪ଟା ୩୦ରୁ ୫ଟା ୩୦ ମଧ୍ୟରେ ରାଷ୍ଟ୍ରପତି ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ବବିଦ୍ୟାଳୟର ୧୫ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ସେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବେ। ସନ୍ଧ୍ୟା ୫ଟା ୪୫ରେ ସେ ମା’ ସମଲେଶ୍ବରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବେ।ଗସ୍ତର ଶେଷ ଦିନରେ ପୂର୍ବାହ୍ନ ୧୦ଟା ୨୦ରୁ ୧୧ଟା ୨୦ ମଧ୍ୟରେ ମହାମହିମ ସମ୍ବଲପୁରଠାରେ ବ୍ରହ୍ମକୁମାରୀ ସଂସ୍ଥା ଦ୍ବାରା ଆୟୋଜିତ ଜାତୀୟ ଶିକ୍ଷା ଅଭିଯାନ- ନୂଆ ଭାରତ ପାଇଁ ନୂଆ ଶିକ୍ଷାର ଶୁଭାରମ୍ଭ କରିବେ । ଏହାପରେ ସେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଗସ୍ତ କରି ଶ୍ରୀ ସତ୍ୟ ସାଇ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ୪୨ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।