Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୨୪ ଘଣ୍ଟାରେ ଓଡିଶା ଛୁଇଁବ ମୌସୁମୀ

ଆରମ୍ଭରୁ ହେବନି ଅଧିକ ବର୍ଷା

ମୌସୁମୀ ଦୁଆର ମୁହଁରେ ପହଞ୍ଚିଗଲାଣି । ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଏହାର ପ୍ରାକ୍‌ ସଙ୍କେତ ଦେଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ଯେ କୌଣସି ସମୟରେ ଓଡ଼ିଶା ମାଟି ଛୁଇଁବା ସମ୍ଭାବନା ଅଛି । ତେବେ ଚିନ୍ତାର ବିଷୟ ହେଲା, ଆରମ୍ଭରୁ ମୌସୁମୀ ଭଲ ବର୍ଷା ଦେବନି । ତୃତୀୟ ସପ୍ତାହ ବେଳକୁ ମୌସୁମୀ ପ୍ରବାହ ଅଧିକ ସକ୍ରିୟ ହେବା ସହ ରାଜ୍ୟରେ ବର୍ଷା ବଢ଼ିବ । ପାଣିପାଗ ବିଭାଗ କହିଛି, ମୌସୁମୀ ବୁଧବାର ଆନ୍ଧ୍ର ପ୍ରଦେଶ ଉପକୂଳରେ ପ୍ରବେଶ କରିଛି । ଓଡ଼ିଶାରେ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ସମ୍ଭବତଃ ୨୪ରୁ ୪୮ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶାର କିଛି ଅଞ୍ଚଳକୁ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶା ଛୁଇଁପାରେ । ଆଇଏମଡି ପୂର୍ବାନୁମାନ ଅନୁସାରେ ଆସନ୍ତା ୫ ଦିନ ଓଡ଼ିଶାରେ ବର୍ଷା ବଢ଼ିବ । ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ବରିଷ୍ଠ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଦିନେ ଦୁଇଦିନରେ ମୌସୁମୀ ଓଡ଼ିଶା ଛୁଇଁବ । ମାତ୍ର ଆରମ୍ଭରୁ ମୌସୁମୀ ପ୍ରବାହ ସେତେ ଶକ୍ତିଶାଳୀ ରହିବ ନାହିଁ। ତେଣୁ ମୌସୁମୀ ଆଗମନ ସତ୍ତେ୍ୱ ଏବେ ଭଲ ବର୍ଷା ସମ୍ଭାବନା କମ୍‌ । କେବଳ ଘଡ଼ଘଡ଼ି ସହ ଅସରାଏ ଲେଖାଏଁ ବର୍ଷା ହୋଇପାରେ। ମୌସୁମୀ ପ୍ରବାହ ସକ୍ରିୟ ହେଲାବେଳକୁ ଜୁନ୍‌ ୨୨/୨୩ ତାରିଖ ହୋଇଯିବ ।

ତା’ପରେ ବର୍ଷା ବଢ଼ିବ ଓ ଅଧିକ ହେବ। ଗତ ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ବର୍ଷା ହୋଇଛି । ଅନୁମାନ କରାଯାଉଛି, ବର୍ତ୍ତମାନ ପ୍ରତିଦିନ ବହୁ ସ୍ଥାନରେ ବର୍ଷା ହୋଇପାରେ । ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଗୁରୁବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଗଞ୍ଜାମ, ଗଜପତି ସହ ଅଳ୍ପ କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରୀ କମିପାରେ । ବୁଧବାର କେବଳ ବଲାଙ୍ଗିର ଓ ଟିଟିଲାଗଡ଼ରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ବାକି ସବୁଠି ତାତି କମିଛି । ବଲାଙ୍ଗିର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍‌ ଓ ଟିଟିଲାଗଡ଼ରେ ପାରଦ ୪୦.୪ ଡିଗ୍ରୀ ଥିଲା । ମଙ୍ଗଳବାର ବାଲେଶ୍ୱରରେ ଘଡ଼ଘଡ଼ି ସହ ୫୦ କିମି ପବନ ବହିଥିଲା । ବାଲେଶ୍ୱରରେ ୫୪.୮ ମିଲିମିଟର ବର୍ଷା ଢାଳିଥିଲା । ଭଦ୍ରକ, ଯାଜପୁର, ଢେଙ୍କାନାଳ, ଦାରିଙ୍ଗିବାଡ଼ି, କେନ୍ଦ୍ରାପଡ଼ା, ନୟାଗଡ଼, ପାରଳାଖେମୁଣ୍ଡି, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ବାରିପଦା ସମେତ ଅନେକ ସ୍ଥାନରେ ଗତକାଲି ବର୍ଷା ହୋଇଥିଲା । ବୁଧଦାର ବି ବହୁ ଜାଗାରେ ବର୍ଷା ହୋଇଛି । ନବରଙ୍ଗପୁରରେ ୪୬ ମିଲିମିଟର ବର୍ଷା ହୋଇଥିବାବେଳେ ନୟାଗଡ଼ରେ ୩୧ ମିମି, ଦାରିଙ୍ଗିବାଡ଼ିରେ ୨୬ ମିମି, ଅନୁଗୁଳରେ ୨୦ ମିମି, କୋରାପୁଟରେ ୨୫ ମିମି, ଭବାନୀପାଟଣାରେ ୨୦ ମିମି ବର୍ଷା ହୋଇଥିଲା ।

Show More

Related Articles

Back to top button