ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ଉତ୍ସବର ଘୋଷଣା
କମିଟି ପାଇଁ ୧୦ ହଜାର ଦାନ ରାଶି ବଢାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଗୋଟିଏ ମାସ ପର୍ଯ୍ୟନ୍ତ ହେବାକୁ ଥିବା ଦୁର୍ଗା ପୂଜା ଉତ୍ସବର ଘୋଷଣା କରିଛନ୍ତି। ଦୁର୍ଗା ପୂଜା ଉତ୍ସବ ସେପ୍ଟେମ୍ବର ୧ରୁ ମଧ୍ୟ କୋଲକାତାରେ ଏକ ମେଗା ରାଲି ସହ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ଦୁର୍ଗା ପୂଜାର ଆୟୋଜନ କରୁଥିବା ପ୍ରତ୍ୟେକ କମିଟିକୁ ଦିଆଯାଉଥିବା ଦାନ ରାଶିରେ ଗତ ବର୍ଷ ତୂଳନାରେ ୧୦ ହଜାର ଟଙ୍କା ବୃଦ୍ଧି କରିଛନ୍ତି। ଏବେ ପ୍ରତ୍ୟେକ ପୂଜା କମିଟିକୁ ୫୦ ହଜାର ଟଙ୍କା ପରିବର୍ତ୍ତେ ୬୦ ହଜାର ଟଙ୍କା ମିଳିବ। ଏଥିସହିତ ପୂଜା ପଣ୍ଡାଲଗୁଡିକୁ ୬୦ ପ୍ରତିଶତ ରିହାତିରେ ବିଜୁଳି ଦେବାକୁ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର କର୍ମଚାରୀଙ୍କୁ ଦୁର୍ଗା ପୂଜା ସମୟରେ ୧୧ ଦିନର ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗର ସବୁଠୁ ବଡ ଉତ୍ସବ ଦୁର୍ଗା ପୂଜା ଚଳିତ ବର୍ଷ ସେପ୍ଟେମ୍ବର ୩୦ରେ ଆରମ୍ଭ ହେଉଛି। ବାନାର୍ଜୀ କହିଛନ୍ତି, ତାଙ୍କ ସରକାର ୟୁନେସ୍କୋଙ୍କୁ ଦୁର୍ଗା ପୂଜାକୁ ସାଂସ୍କୃତିକ ବିରାସତ ଘୋଷିତ କରିବା ନେଇ ଧନ୍ୟବାଦ ଜଣାଇଛନ୍ତି। ଏହାକୁ ନେଇ ସେପ୍ଟେମ୍ବର ୧ରେ ରାଲିର ଆୟୋଜନ କରାଯିବ ବୋଲି ମମତା କହିଛନ୍ତି। ସେ କହିଛନ୍ତି, କେନ୍ଦ୍ର ରାଜ୍ୟ ପାଇଁ ଧନ ରାଶି ଆବଣ୍ଟିତ କରୁ ନାହାନ୍ତି।
ଏହା ସତ୍ତ୍ଵେ ବି ଆମେ ପୂଜା କମିଟିଙ୍କ ପାଇଁ ଦାନ ରାଶିରେ ବୃଦ୍ଧି କରିବୁ। ଗତ ବର୍ଷର ୫୦ ହଜାର ଟଙ୍କା ପରିବର୍ତ୍ତେ ଚଳିତ ବର୍ଷ ୬୦ ହଜାର ଟଙ୍କା ପ୍ରତି ପୂଜା କମିଟିକୁ ଦାନ କରାଯିବ। ମୁଖ୍ୟମନ୍ତ୍ରୀ ଜୋର ଦେଇ କହିଛନ୍ତି, ସେପ୍ଟେମ୍ବର ୧ରେ ରାଲିର କୌଣସି ରାଜନୈତିକ ଏଜେଣ୍ଡା ନାହିଁ। ଏଥିରେ ଯେ କେହି ବି ସାମିଲ୍ ହୋଇ ପାରିବେ। ମୁଁ ଉଚ୍ଚ ମାଧ୍ୟମିକ ସ୍କୁଲର ୧୦ ହଜାର ବିଦ୍ୟାର୍ଥୀଙ୍କୁ ଏହି ରାଲି ପାଇଁ ଆମନ୍ତ୍ରିତ କରିବି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ସୂଚନା ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ହୋଇଥିବା ପ୍ରଶାସନିକ ବୈଠକରେ ଦେଇଛନ୍ତି।