ନୋଟ ଭୋଟ ପରିମାଣ
ନିର୍ବାଚନ ପୂର୍ବରୁ ସବୁ ପ୍ରାର୍ଥୀଙ୍କୁ ଏଥର ଗାଁ ବାଲାଙ୍କର ଗୋଟିଏ ମାତ୍ର ବିନୀତ ଅନୁରୋଧ ଥିଲା,

(୧) ନୋଟ
ନିର୍ବାଚନ ପୂର୍ବରୁ ସବୁ ପ୍ରାର୍ଥୀଙ୍କୁ ଏଥର ଗାଁ ବାଲାଙ୍କର ଗୋଟିଏ ମାତ୍ର ବିନୀତ ଅନୁରୋଧ ଥିଲା,
-ସବୁଥର ଖାଲି ନିର୍ବାଚନ ଧୂଆଁବାଣ ପ୍ରତିଶ୍ରୁତି ଦେଉଛ,ହେଲେ ଭୋଟ ସରିଗଲେ କାହାର ଦେଖା ନାହିଁ।ଆମ ଗାଁଙ୍କୁ ପକ୍କା ସଡକ ଯିଏ କରିଦେବ,ଏଥର ଭୋଟ ଆମେ ତାକୁ ହିଁ ଦେବୁ।ଆମର ସେଇ ଗୋଟିଏ ଦାବୀ।”
ସବୁ ପ୍ରାର୍ଥୀ ଏଥର ଘର ଘର ବୁଲି ପ୍ରଚାର କଲାବେଳେ ବି ପ୍ରତିଶ୍ରୁତି ଦେଉଥିଲେ କି ଜିତିଲେ ନିଶ୍ଚେ ପିଚୁ ଅଥବା ପକ୍କା ସଡକ ବନାଇଦେବା ପାଇଁ।
ନିର୍ବାଚନ ଦିନ ସବୁ ଗ୍ରାମବାସୀ ଭୋଟ ଦେବାକୁ ନଯାଇ, ବିଭିନ୍ନ ଟ୍ରକରେ ଲଦା ହୋଇ ଆସୁଥିବା ରାସ୍ତା ତିଆରି ଜିନିଷର ଓଲ୍ହାଇବାର ତଦାରଖ କରି,ନିଜେ ଶ୍ରମଦାନ କରି ରାସ୍ତା ତିଆରିରେ ଲାଗିଥିବାର ଦେଖି ପ୍ରଶାସନ ଓ ପ୍ରାର୍ଥୀ ଅବାକ ହୋଇଯାଇଥିଲେ।
କିଛି ସାମ୍ବାଦିକ ଭୋଟବର୍ଜନ ବିଷୟରେ ଗାଁ ଲୋକଙ୍କୁ ପ୍ରଶ୍ନ କରିବାରୁ ଜଣେ ଗ୍ରାମବାସୀ ନିଜ ପରିଚୟ ଗୁପ୍ତ ରଖିବାର ସର୍ତ୍ତରେ ଉତ୍ତର ଦେଲା,
-ଏଇ ରାସ୍ତା ପାଇଁ ଆମେ ଭୋଟ ଦେବାକୁ ପ୍ରସ୍ତୁତ ଥିଲୁ।ହେଲେ ଏଥର ସବୁ ପ୍ରାର୍ଥୀମାନେ ଆମ ଗାଁ ବାଲାଙ୍କୁ ଲାଞ୍ଚ ଆକାରରେ ଯେତେ ଟଙ୍କା ବାଣ୍ଟିଥିଲେ,
ସେସବୁ ଟଙ୍କାକୁ ଏକାଠି କରି ଦେଖିଲୁ, ଗାଁକୁ ପକ୍କା ରାସ୍ତା ତିଆରି ହୋଇ ଆହୁରି ଟଙ୍କା ବଳିବ।ତେଣୁ ନିଜ ପାଇଁ ଗାଁ ରାସ୍ତା ତିଆରି କରୁଛୁ।ନୋଟ ତ ଆମ କାମ କରିଦେଲା, କଣ ମିଳିବ ଆମକୁ ସେ ଭୋଟରୁ ?”
(୨) ଭୋଟ
ନିର୍ବାଚନରେ ଘର ଘର ବୁଲି ପ୍ରାର୍ଥୀ ଜଣଙ୍କ ସବୁ ଲୋକଙ୍କୁ ମୁଣ୍ଡିଆ ମାରିବା ସହ,ଚୁପ କିନା ସେମାନଙ୍କ ହାତରେ କିଛି ଟଙ୍କା ଧରାଇ ଦେଇ କାନରେ କହୁଥିଲା,
-ଏଇଟା ଅଧା ଟଙ୍କା।ମୋତେ ଭୋଟ ଦେଇ ଜିତାଇଲେ ,ମୁଁ ଠାକୁରଙ୍କ ନାଁରେ ରାଣ ଖାଇ କହୁଛି, ଆଉ ଅଧକ ଟଙ୍କା ତୁମମାନଙ୍କୁ ଦେବି।ମୁଁ ଯାହା କହେ,ତା ନିଶ୍ଚୟ କାମରେ ଦେଖାଏ।”
ଭୋଟ ଦେଇସାରି ଅନେକ ଲୋକ ସେଇ ପ୍ରାର୍ଥୀ ପାଖରେ ପହଞ୍ଚିବା ଦେଖି, ସେ ଖୁସି ହୋଇ ପଚାରିଲା,
-କଣ ?ମୋତେ ଭୋଟ ଦେଇଛ ତ ?”
ସାଙ୍ଗେ ସାଙ୍ଗେ ଜବାବ ମିଳିଲା,
-ଆମେ ବି ଏତେ ଅମଣିଷ ନୁହେଁ କି ଟଙ୍କା ତମଠୁ ନେବୁ ଓ ଭୋଟ ଆଉ କାହାକୁ ଦେବୁ।ବାକି ଅଧା ଟଙ୍କା ଆମକୁ ଦିଅ ଓ ତମ ଭୋଟ ନିଅ।”
ପ୍ରାର୍ଥୀ ଜଣଙ୍କ ଭୂତ ଦେଖିଲା ଭଳି ଚମକି ପଡି ଦେଖୁଥିଲା ଲୋକମାନେ,ଭୋଟ ବାକ୍ସରେ ନଗଳାଇ ନିଜ ପକେଟ/ଅଣ୍ଟିରେ ଲୁଚାଇ ଆଣିଥିବା ତାରି ପ୍ରାର୍ଥୀପତ୍ର ଚିହ୍ନରେ ମୋହରମରା ଭୋଟ କାଗଜ ସବୁକୁ।
(୩) “ପରିଣାମ”
ନିର୍ବାଚନ ପ୍ରଚାର ଜୋର ସୋରରେ ଚାଲିଥିଲା।ବିଭିନ୍ନ ଦଳୀୟ ପ୍ରାର୍ଥୀଙ୍କ ତରଫରୁ ଗାଁ ଲୋକଙ୍କୁ ରାତି ଅଧିଆ ନୋଟ ବି ବଣ୍ଟା ଯାଉଥିଲା।ସବୁ ଦଳ ତରଫରୁ ନୋଟ ଦିଆଗଲା ପରେ ଲୋକଙ୍କୁ ଠାକୁରଙ୍କ ଧଣ୍ଡା/ଫଟ/ପାଦୁକା ଛୁଆଇଁ ଶପଥ କରାଯାଇଥିଲା ଥିଲା ଯେ,
-ଆମ ଚିହ୍ନ ମନେରଖି ଭୋଟ ଦେବ।ନହେଲେ ଠାକୁରଙ୍କ ଅଭିଶାପ ପଡିବ।”
ଲୋକଙ୍କ ଭିତରେ ଭାଲେଣି ପଡିଲା।ଟଙ୍କା ତ ସବୁ ଦଳ ଦେଇଛନ୍ତି।ଭୋଟ ଦିନ ସମସ୍ତେ ଲାଇନରେ ଠିଆ ହୋଇ ମନେପକାଉଥିଲେ କେଉଁ ଚିହ୍ନରେ ମୋହର ମାରିବେ ?”
ନିର୍ବାଚନ ପରିଣାମ ଘୋଷଣା ହେଲାପରେ,ସବୁ ପ୍ରାର୍ଥୀ ଅମାନତ ହରାଇବା ଖବର ଶୁଣି ହଇଚଇ ସୃଷ୍ଟି ହୋଇଯାଇଥିଲେ।
ଭିତିରି ଖବରରୁ ଜଣାପଡିଲା,ସବୁଦଳଙ୍କଠୁ ପାଇଥିବା ନୋଟ ହିଁ କେବଳ ମନେ ରହିଥିବାରୁ ସବୁ ଗାଁ ଲୋକେ ସେଦିନ,
“ନୋଟା” ଚିହ୍ନରେ ହିଁ ମୋହର ମାରିଥିଲେ।।