
ଭଦ୍ରକ : ମେଡିକାଲ ପରିସରରେ ରୋଗୀଙ୍କ ଉପରେ ଚଢିଗଲା ଗାଡି । ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି ଏବଂ ଆହତଙ୍କ ମଧ୍ୟରେ ଜଣେ ଛୋଟ ପିଲା ଥିବା ସୂଚନା ମିଳିଛି । ମୃତକ ହେଲେ ଆଗରପଡା ବଡ ବଚ୍ଚିକୟାଁର ଶ୍ରୀଧର ଲେଙ୍କା ।
ସୂଚନା ଅନୁଯାୟୀ, ଆଜି ସକାଳେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ଡାକ୍ତର ଦେଖାଇବାକୁ ଟିକେଟ କାଟିବା ପାଇଁ ଲମ୍ବା ଲାଇନରେ ଠିଆ ହୋଇଥିବାବେଳେ ମେଡିକାଲ ପରିସରରେ ଏକ ବୋଲେରୋ ଔଷଧ ଅନ୍ଲୋଡ୍ କରୁଥିଲା । ଗାଡ଼ିରେ ଚାବିଟି ଲାଗିଥିବାବେଳେ ହଠାତ୍ କେହି ଏହାକୁ ଷ୍ଚାର୍ଟ କରିବା ଦ୍ୱାରା ଗାଡ଼ିଟି ଏକ ସ୍କୁଟି ଉପରେ ମାଡ଼ି ଯାଇ ଟିକେଟ କାଟିବା ପାଇଁ ଲାଇନ୍ରେ ଠିଆ ହୋଇଥିବା ରୋଗୀ ଓ ତାଙ୍କ ସର୍ମ୍ପକୀୟ ଉପରେ ମାଡ଼ି ଯାଇଥିଲା। ତେବେ । ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ । ବୋଲେରୋଟି ହସ୍ପିଟାଲ କାମରେ ହିଁ ନିୟୋଜିତ ଥିଲା । ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ପୁଲିସ ଘଟଣାର ତଦନ୍ତ କରୁଛି ।