ପାର୍ବଣ ଋତୁରେ ରାଜଧାନୀର ରାଜରାସ୍ତାରେ ଅସମ୍ଭାଳ ଟ୍ରାଫିକ ସ୍ଥିତି

ପାର୍ବଣ ପାଇଁ ରାଜଧାନୀର ରାଜରାସ୍ତାରେ ଅସମ୍ଭାଳ ଟ୍ରାଫିକ ସ୍ଥିତି । ଦଶମୀକୁ ଆହୁରି ୩ଦିନ ବାକି ଥିଲେ ମଧ୍ୟ ଏବେଠୁ ନାହିଁନଥିବା ଭିଡ ପରିଲକ୍ଷିତ ହେଉଛି । ସହର ଭିତରେ ଭିଡ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି ଗାଡ଼ି। ଏଭଳି ପରିସ୍ଥିତିରୁ ଅନୁମାନ କରାଯାଉଛି ଯେ ଆଗକୁ ଆହୁରି ଏହି ସମସ୍ୟା ବୃଦ୍ଧି ପାଇବ ।
ରାଜଧାନୀ ପ୍ରବେଶପଥ କୁହାଯାଉଥିବା କୁଆଖାଇ ପୋଲ ଉପରୁ ରସୁଲଗଡ଼ ଛକ ପର୍ଯ୍ୟନ୍ତ ଲାଗିଛି ଗାଡ଼ିର ଲମ୍ବାଧାଡ଼ି। ବାଣୀବିହାର ଫ୍ଲାଏଓଭର ଏବଂ ଜୟଦେବ ବିହାର ଠାରୁ ଖଣ୍ଡଗିରି ଯାଏଁ ଭିଡ଼ ପ୍ରବଳ ଲାଗୁଛି। ସହର ଭିତର କଥା କହିବା କାଠିକର ପାଠ ହୋଇଯାଇଛି। ଗୋଟିଏ ଲେଖାଏଁ ଛକକୁ ଅତିକ୍ରମ କରିବା ଲାଗି ଅଧ୍ୟ ଘଣ୍ଟାଏ ସମୟ ଲାଗିଯାଉଛି। ଆମ୍ବୁଲାନ୍ସଠୁ ଆରମ୍ଭ କରି ଜରୁରିକାଳୀନ ଗାଡ଼ିଗୁଡିକ ଫସି ରହୁଛନ୍ତି।
ଗତ ଦୁଇ ଦିନ ହେଲା ସନ୍ଧ୍ୟା ହେଲେ ବଦଳିଯାଉଛି ସହରର ଟ୍ରାଫିକ ସ୍ଥିତି। ଏହି ଭିଡ଼କୁ ନିୟନ୍ତ୍ରଣ କରିବାରେ ହରଡଘଣାରେ ପଡ଼ିଛି ଟ୍ରାଫିକ ପୁଲିସ। ଏଣୁ ମଣ୍ଡପ ସାମ୍ନାରେ ଗାଡ଼ିଗୁଡିକ ପାର୍କିଂ କରାଇ ଦିଆଯାଉନାହିଁ। ଏପରିକି ପୂଜା ମଣ୍ଡପକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଦୁଇ ଚକିଆ ଯାନ ନେଇ ଆସିବାକୁ କୁହାଯାଇଛି।