ୱାସିଂଟନ: ଋଷ-ୟୁକ୍ରେନର ଘମାଘୋଟ ଯୁଦ୍ଧ ଥମିବା ପରିବର୍ତ୍ତେ ଦିନକୁଦିନ ଅତ୍ୟନ୍ତ ଭୟଙ୍କର ହେବାରେ ଲାଗିଛି । ଏହାରି ମଧ୍ୟରେ ବ୍ରସଲେସରେ ଆୟୋଜିତ ହୋଇଥିବା ନାଟୋ ସମ୍ମିଳନୀରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ବିରୋଧରେ କଡ଼ା ଘୋଷଣା କରି କହିଛନ୍ତି – ଯଦି ୟୁକ୍ରେନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୌଣସି ଗୋଟିଏ ରାସାୟନିକ ଅସ୍ତ୍ର ପ୍ରୟୋଗ କରନ୍ତି, ତେବେ ନାଟୋ ଏହାର ଉଚିତ୍ ଜବାବ ଦେବ ।
ସେହିପରି ବାଇଡେନଙ୍କ ସୂଚନା ଅନୁସାରେ , ୟୁକ୍ରେନକୁ ୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ୧ ବିଲିୟନ ଡଲାର ମୂଲ୍ୟର ମାନବିକ ସହାୟତା ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡିଥିବା ଶରଣାର୍ଥୀଙ୍କ ସଂଖ୍ୟା ୩୭ ଲକ୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ଶରଣାର୍ଥୀଙ୍କୁ ଆମେରିକା ଗ୍ରହଣ କରିବ ବୋଲି ସେ କହିଛନ୍ତି । ସେପଟେ ୟୁକ୍ରେନରେ ମାନବିକ ସଂକଟ ପ୍ରସଙ୍ଗରେ ଋଷର ଏକ ପ୍ରସ୍ତାବ ନେଇ ଜାତିସଂଘ ନିରାପତ୍ତା ପରିଷଦରେ ଭାରତ ସମେତ ୧୨ଟି ରାଷ୍ଟ୍ର ବିରତ ରହିଛନ୍ତି । ସିରିୟା, ଉତ୍ତରକୋରିଆ ଓ ବେଲାଋଷର ସହଯୋଗରେ ଋଷ ଯେଉଁ ପ୍ରସ୍ତାବ ଆଗତ କରିଥିଲା ତାହା ଆବଶ୍ୟକ ସଂଖ୍ୟକ ଭୋଟ ଅଭାବରୁ ଖାରଜ ହୋଇଯାଇଛି । ଏହି ପ୍ରସ୍ତାବ ସପକ୍ଷରେ ଚୀନ ଓ ଋଷ ଭୋଟ ଦେଇଥିବା ବେଳେ, ବିରୋଧରେ କୌଣସି ରାଷ୍ଟ୍ର ଭୋଟ ଦେଇ ନଥିଲେ । ଭାରତ ଓ ଅନ୍ୟାନ୍ୟ ନିରାପତ୍ତା ସଦସ୍ୟ ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ ।
ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନାଟୋ ସଦସ୍ୟ ରାଷ୍ଟ୍ରକୁ ଋଷ ବିରୋଧରେ ଲଢେଇ ଲାଗି ତୁରନ୍ତ ଅତ୍ୟାଧୁନିକ ଲଢୁଆ ଜେଟ, ମିସାଇଲ ଡିଫେନ୍ସ ସିଷ୍ଟମ, ଟ୍ୟାଙ୍କ, ସାଞ୍ଜୁଆ ଯାନ, ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ଆଦି ଯୋଗାଇବାକୁ ଆହ୍ବାନ କରିଛନ୍ତି । ଋଷ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହି ସଂଖ୍ୟା ରୋକିବା ଲାଗି ତୁରନ୍ତ ଅସ୍ତ୍ରଶସ୍ତ୍ର ସହାୟତା ଜରୁରୀ ବୋଲି ଜେଲେନସ୍କି କହିଛନ୍ତି ।