
ତୀବ୍ର ଆକାର ଧାରଣ ଜାପାନ ଆଡକୁ ମାଡି ଆସୁଛି ଟାଇଫୁନ ନାନମାଦୋଲ । କ୍ୟୁସୁ ଅଞ୍ଚଳ ଅନ୍ତର୍ଗତ କାଗୋସିମା ଅଞ୍ଚଳ ପାଇଁ ବିରଳ ସ୍ୱତନ୍ତ୍ର ଓ୍ବାର୍ଣ୍ଣିଂ ଜାରି କରିଛି ଜାପାନ ପାଣିପାଗ ବିଭାଗ । ଧୀରେ ଧୀରେ ବୃଦ୍ଧି ପାଉଛି ପବନର ବେଗ । ଏହାକୁ ଦୃଷ୍ଟିରେ ରଖି ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ତୋଫାନକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକ ଆଶ୍ରୟସ୍ଥଳୀରେ ଠୁଳ ହୋଇଛନ୍ତି । ଉଚ୍ଚ ଜୁଆର ମାଡ଼ିଆସିବା ସହ ପ୍ରବଳ ପବନ ଯୋଗୁ ବିପୁଳ କ୍ଷତି ହେବା ଆଶଙ୍କା କରାଯାଉଛି । ପବନର ବେଗ ଘଣ୍ଟା ପ୍ରତି ୨୭୦ କିଲୋମିଟରରୁ ଅଧିକ ହେବା ଆକଳନ କରାଯାଇଛି । ୨୪ ଘଣ୍ଟାରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରାଯାଇଛି ।
ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ,ଏହା ଏକ ଅତି ଭୟଙ୍କର ଝଡ଼ । ଏବି ଭୟଙ୍କର ତୋଫାନରେ ଅନେକ ଘର ଧସିପଡ଼ିବାର ସମ୍ଭାବନା ରହିଥିବାବେଳେ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି ।