
ବଲାଙ୍ଗିର : ବଲାଙ୍ଗିରରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଲୁଟେରାଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହୋଇଛନ୍ତି ଦୁଇ ଅଧ୍ୟାପକ। ବଲାଙ୍ଗିରର ରାଜୀବନଗର ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ଅଧ୍ୟାପକ ସାହିଲ ସାହୁ ଗତକାଲି ରାତିରେ ଷ୍ଟେସନ୍ ଯାଉଥିବା ବେଳେ କିଛି ଯୁବକ ୨ଟି ବାଇକ୍ରେ ଆସି ତାଙ୍କ ବାଇକ୍ ଲୁଟ୍ ପାଇଁ ଉଦ୍ୟମ କରିଥିଲେ । ଏହାକୁ ବିରୋଧ କରିବାରୁ ସାହିଲଙ୍କୁ ସେମାନେ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସାହିଲ ସେହି ପାଖରେ ରହୁଥିବା ନିଜ ସହକର୍ମୀଙ୍କ ଘରକୁ ଦୌଡ଼ି ଯାଇଥିଲେ । ହେଲେ ଲୁଟେରାମାନେ ତାଙ୍କୁ ବି ଛାଡ଼ି ନଥିଲେ । ଲୁଟେରାମାନେ ସାହିଲଙ୍କ ସହକର୍ମୀ ବିଜୟ କିରଣଙ୍କୁ ମାଡ଼ ମାରିବା ସହ ତାଙ୍କ ମୋବାଇଲ୍ ମଧ୍ୟ ଲୁଟ୍ କରି ଫେରାର ହୋଇ ଯାଇଛନ୍ତି। ଏହି ଆକ୍ରମଣରେ ବିଜୟଙ୍କ ଆଙ୍ଗୁଠି କଟିଯିବା ସହ ସାହିଲ ଆହତ ହୋଇ ବଲାଙ୍ଗିରରେ ଚିକିତ୍ସାଧୀନ ଅଛନ୍ତି। ସେପଟେ ଗୁରୁତର ଅବସ୍ଥାରେ ବିଜୟଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି ।