
ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନିଖୋଜ ଥିବା ଦୁଇ ଜଣ ଦୃଷ୍ଟିହୀନ ଛାତ୍ରୀ ଉତ୍ତରପ୍ରଦେଶ ର ମଥୁରା ରେଳ ଷ୍ଟେସନରୁ ମିଳିଲେ । ବର୍ତ୍ତମାନ ସେମାନେ ରେଳବାଇ ପୋଲିସର ଆୟତରେ ଅଛନ୍ତି । ତାଙ୍କୁ ଆଣିବା ପାଇଁ କମିଶନରେଟ ପୋଲିସ ମଥୁରା ଯିବେ । ପୋଲିସ ଦୁଇ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଚିଠି, ଭଏସ ରେକର୍ଡିଂ ମେମୋରି ଚିପ୍ ଆଦି ଜବତ କରିଛି । ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରି ସମସ୍ତ ଥାନାକୁ ସୂଚନା ଦେଇଥିଲା ।
ସୂଚନା ଅନୁଯାୟୀ, ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଏକ ଗାଁରୁ ବିଶ୍ୱବିଦ୍ୟାଳୟକୁ ଆସନ୍ତି ଓ କ୍ଲାସ ସରିବା ପରେ ଘରକୁ ଫେରିଯାଇଥାନ୍ତି । ମାତ୍ର ସୋମବାର ଦିନ କ୍ଲାସ କରିବାକୁ ଆସି ଛାତ୍ରୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ଝିଅକୁ ନ ପାଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେହିପରି ହଷ୍ଟେଲରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଫେରିନଥିଲେ । ଏନେଇ ଛାତ୍ରୀଙ୍କ ମାମୁଁ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ଛିତ୍ରୀ ଦୁଇଜଣ କେମିତି ସେଠାକୁ ଗଲେ ଏବଂ କ’ଣ ରହିଛି ଏହାର ରହସ୍ୟ । ପୋଲିସର ତଦନ୍ତ ପରେ ଜଣାପଡିବ ।