
ତାଳଚେର : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହୁରି ୨୫ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି। ସେମାନେ ହେଉଛନ୍ତି କଣିହାଁ ଥାନା ଅନ୍ତର୍ଗତ କଂସମୁଣ୍ଡା ଗାଁର ମନୁ ବେହେରା ଓ ମସୁଣିହତା ଗାଁର ମେନକା ପ୍ରଧାନ। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଝାଡଖଣ୍ଡର ହଜାରିବାଗ ଠାରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେଲର ଧକ୍କାରେ ବସ୍ଟି ଓଲଟି ପଡ଼ିଥିଲା। ଟ୍ରେଲରଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ହଜାରିବାଗରେ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟିରେ ମୋଟ ୫୫ ଜଣ ଯାତ୍ରୀ ଥିଲେ। ସେମାନେ ବିହାରର ଗୟା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ପରିବାର ଲୋକେ ମୃତଦେହ ଆଣିବା ପାଇଁ ଝାଡଖଣ୍ଡ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଶୋକରଛାୟା ଖେଳି ଯାଇଛି।