
ନାଗପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ଦ୍ୱିତୀୟ ମୁକାବିଲା ଖେଳାଯିବ। ଏହା ପୂର୍ବରୁ ମୋହାଲିରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍କୁ ସହଜରେ ଜିତି ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ୍ ରେ ଯେପରି ପେସାଦାର ଖେଳ ପ୍ରଦର୍ଶନ କରିଛି, ସେଥିରେ ଯଦି ଭାରତ ନିଜ ଖେଳରେ, ବିଶେଷ କରି ବୋଲିଂରେ ଉନ୍ନତି ନ ଆଣେ ତେବେ ଏଠାରେ ଅଷ୍ଟ୍ରେଲିଆ ସିରିଜ୍ ଜିତିବାକୁ ସମର୍ଥ ହୋଇଯିବ। ବ୍ୟାଟିଂକୁ ସହାୟତା ଦେଉଥିବା ପିଚ୍ ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଆଦୌ ଉନ୍ନତ ହେଉ ନାହିଁ। ନାଗପୁର ପିଚ୍ ବ୍ୟାଟିଂ ଲାଗି ଖ୍ୟାତି ରହିଛି। ଭାରତ ଯଦି ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରେ ତେବେ ସିରିଜ୍ ହାରିବା ନିଶ୍ଚିତ ହୋଇଯିବ। ଏହାଛଡ଼ା ଭ୍ରମଣକାରୀ ଅଷ୍ଟ୍ରେଲିଆର ରେକର୍ଡ ଏଠାରେ ବେଶ ଉତ୍ସାହଜନକ ରହିଛି। ଏହି ଦଳ ମଧ୍ୟ ଗତ ଦୁଇଟି ଟୁର୍ ରେ ଭାରତ ନିକଟରୁ ଟି-୨୦ ସିରିଜ୍ ହାରିନାହିଁ। ଗୋଟିଏ ପଟେ ରେକର୍ଡ ଓ ଅନ୍ୟପଟେ ଦୃଢ଼ ଆତ୍ମବିଶ୍ୱାସ ଅଷ୍ଟ୍ରେଲିଆକୁ ଭଲ ପ୍ରଦର୍ଶନ ଦେବା ଲାଗି ବେଶ ସହାୟକ ହୋଇଛି।ପ୍ରଥମ ମ୍ୟାଚ୍ର ପ୍ରଦର୍ଶନକୁ ଦେଖିଲେ ଭାରତୀୟ ଖେଳାଳିମାନେ ବ୍ୟାଟିଂକୁ ଛାଡିଦେଲେ ଅନ୍ୟ ଦୁଇଟି ବିଭାଗରେ ଫେଲ ମାରିଥିଲେ। ବ୍ୟାଟିଂରେ ମଧ୍ୟ ଦଳ ପାୱାର ପ୍ଲେ’ ମଧ୍ୟରେ ଦୁଇ ତାରକା ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ହରାଇଥିଲା। ଏମାନଙ୍କ ଉପସ୍ଥିତି ନିଶ୍ଚିତଭାବେ ରନ୍ ସଂଗ୍ରହ ହାରରେ ବଡ଼ ପରିବର୍ତ୍ତନ ଆଣିଥାନ୍ତା। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ନିଆଯାଇଥିଲାବେଳେ ସେ ୩ଟି ୱିକେଟ ନେଇ ତାଙ୍କ ସାମିଲର ଯଥାର୍ଥତା ପ୍ରତିପାଦନ କରିଥିଲେ। ତାଙ୍କୁ ଛାଡିଦେଲେ ଅନ୍ୟ କୌଣସି ବୋଲରଙ୍କୁ ଅଷ୍ଟ୍ରେଲିଆ ବ୍ୟାଟର ଛାଡି ନଥିଲେ। ବିଶେଷ କରି ଭୁବନେଶ୍ୱର କୁମାରଙ୍କ ୧୯ତମ ଓଭର ବିଫଳତା ଭାରତକୁ ବେଶ ମହଙ୍ଗା ପଡ଼ିଛି। ସେ ଗତ ୩ଟି ମ୍ୟାଚ୍ରେ ଏହି ୧୯ତମ ଓଭରରରୁ ୪୯ ରନ୍ ଖର୍ଚ୍ଚ କରିସାରିଲେଣି।