କଟକ ଜିଲ୍ଲା ପ୍ରଶାସନକୁ ଲାଗିପାରେ ବଡ଼ ଝଟକା; ୩୪ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିବାକୁ ରିପୋର୍ଟ ଦେଲା ଏନଜିଟି ବିଶେଷଜ୍ଞ କମିଟି
କଟକ ଜିଲ୍ଲା ପ୍ରଶାସନ ପ୍ରାୟ ୧୦୦ ଏକର ଜାଗାରେ ଏଥର ବାଲିଯାତ୍ରା ଆୟୋଜନ କରିବାକୁ ଯୋଜନା କରିଛି। କିନ୍ତୁ ଏହି ଯୋଜନା ଭଟ୍ଟା ପଡ଼ିବାକୁ ଯାଉଛି। କାରଣ ପୂର୍ବରୁ ହେଉଥିବା ୩୪ ଏକର ନଦୀ ପଠାରେ ହିଁ ବାଲିଯାତ୍ରା ହେଉ ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦ୍ଵାରା ନିଯୁକ୍ତ ବିଶେଷଜ୍ଞ କମିଟି ରିପୋର୍ଟ ଦେଇଛି।

ଏନେଇ ଆସନ୍ତା ସେପ୍ଟେମ୍ୱର ୭ରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ୍ ଶୁଣାଣି କରିବେ। ଗତ ଜୁଲାଇ ୧୩ରେ ଏନଜିଟିଙ୍କ ଦ୍ଵାରା ନିଯୁକ୍ତ ବିଶେଷଜ୍ଞ କମିଟି କଟକର ବିଭିନ୍ନ ଜାଗା ବୁଲି ମହାନଦୀ ସ୍ଥିତି ଅନୁଧ୍ୟାନ କରିଥିଲେ। ଯୋବ୍ରାରୁ ଗଡ଼ଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବିଶେଷଜ୍ଞ କମିଟି ବିଶେଷ ଭାବେ ଅନୁଧ୍ୟାନ କରିଥିଲା। ଏହି ଜାଗାକୁ ବାଲି ଦ୍ଵାରା ପୋତା ଯାଇଥିବାରୁ ଜୈବ ମଣ୍ଡଳ ପ୍ରଭାବିତ ହୋଇଛି। ପରିବେଶ ପ୍ରଦୂଷିତ ହୋଇଛି। ତେଣୁ ଏହା ସମ୍ପୂର୍ଣ୍ଣ ବେଆଇନ ବୋଲି କମିଟି ତା ରିପୋର୍ଟରେ ଲେଖିଛି।
ତେଣୁ ଆଗକୁ ମହାନଦୀର ଆଉ କୌଣସି ପଠାକୁ ନପୋତିବା ଓ ବାଲିଯାତ୍ରା ପାଇଁ ଉଦ୍ଧିଷ୍ଟ ୩୪ ଏକର ଜାଗାକୁ ଛାଡ଼ି ଅବଶିଷ୍ଟ ନଦୀ ପଠାରେ ଗଛ ଲଗାଇବା ସହିତ ବାଲିଯାତ୍ରାକୁ କେବଳ ୩୪ ଏକର ଭିତରେ ସୀମିତ ରଖିବା ପାଇଁ କମିଟି ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ଗ୍ରୀନ ଟ୍ରିବ୍ୟୁନାଲ୍ ଗ୍ରହଣ କରନ୍ତି , ତେବେ କଟକ ଜିଲ୍ଲା ପ୍ରଶାସନକୁ ବଡ଼ ଝଟକା ଲାଗିପାରେ। କାରଣ ଚଳିତ ବର୍ଷ ବାଲିଯାତ୍ରାର କଳେବର ବଢ଼ାଇବା ପାଇଁ ଏକ ପ୍ରକାର ନିଷ୍ପତ୍ତି ହୋଇଛି। ଗତ ଅଗଷ୍ଟ ୨୦ରେ ଏନେଇ ପ୍ରସ୍ତୁତି ବୈଠକ ମଧ୍ୟ ହୋଇଥିଲା। ପ୍ରାୟ ୧୦୦ ଏକର ଜାଗାରେ ଏଥର ବାଲିଯାତ୍ରା କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ତେବେ ଏନଜିଟି ମାମଲାରେ ପଚାରିବା ପରେ ଜିଲ୍ଲାପାଳ କହିଛନ୍ତି, ଯାତ୍ରା ପାଇଁ ଏନଜିଟି ଯେଉଁ ଶର୍ତ୍ତ ଧାର୍ଯ୍ୟ କରିଛନ୍ତି। ତାକୁ ପାଳନ କରାଯିବ ଏବଂ ବାଲିଯାତ୍ରା କଳେବର ବଢ଼ାଇବାକୁ ଯେଉଁ ନିଷ୍ପତ୍ତି ହୋଇଛି ସଂକ୍ରାନ୍ତିୟ ଏନଜିଟିଙ୍କ ପାଖରେ ଆବେଦନ ମଧ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।