
ଭୁବନେଶ୍ୱର: ଆଜି ବସିବ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ । ଲୋକସେବା ଭବନରେ ସନ୍ଧ୍ୟା ୫ଟା ୩୦ ମିନିଟ ସମୟରେ ଏହି ବୈଠକ ବସିବ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଯୋଗ ଦେବେ ରାଜସ୍ୱ ମନ୍ତ୍ରୀ ,କୃଷି ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ । ପୂର୍ବବର୍ଷ ପ୍ରାକୃତିକ ବିପର୍ଯ୍ୟୟ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଗୁରୁମନ୍ତ୍ର ଦେଇଥିଲେ ସେସବୁର କାର୍ଯ୍ୟକାରିତା ଉପରେ ଆଲୋଚନା କରାଯିବ ।
ଜିଲ୍ଲାସ୍ତରରେ ଆପାତକାଳୀନ ଯୋଜନା ପ୍ରସ୍ତୁତ କରାଯାଉଛି । ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ସବୁ ଜିଲ୍ଲାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ୨୮୭ଟି ଯନ୍ତ୍ର ଚାଳିତ ଡ଼ଙ୍ଗାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଯୋଗେ ବନ୍ୟାଞ୍ଚଳରେ ମୁତୟନ କରାଯାଉଛି ।
ବିପର୍ଯ୍ୟୟ ମୁକାବିଲାର ରୋଲ ମଡେଲ ପାଲଟିଥିବା ଓଡ଼ିଶାରେ ଆଗକୁ ଆହୁରି ବୈଷୟିକ ପ୍ରଣାଳୀରେ କିପରି ମୁକାବିଲା କରାଯିବ, ତା’ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ଏହାସହ ଆସନ୍ତା ୧୯ ତାରିଖରେ ସବୁ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରାକ୍-ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଯିବ । ଯେଉଁଥିରେ ତହସିଲଦାର, ଅଗ୍ନିଶମ ଅଧିକାରୀ, ସିଡିଏମଓ, ଏନଜିଓ, ବହୁମୁଖୀ ଆଶ୍ରୟସ୍ଥଳୀର ସଦସ୍ୟ ଓ ବିଭାଗୀୟ ଅଧିକାରୀ ସାମିଲ ହେବେ ।