
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ । ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି । କିନ୍ତୁ ସବୁଠୁ ଆଗରେ ହହିଛନ୍ତି ଅଶୋକ ଗେହଲଟ । ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ସ୍ଥିତି ରୋଚକ ହୋଇପଡ଼ିଥିବା ବେଳେ ଦଳର ନେତୃତ୍ୱ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ହାତକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପୂର୍ବରୁ ଗେହଲଟ ସ୍ପଷ୍ଟ କରି ନଥିଲା ବେଳେ ଶୁକ୍ରବାର ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଖୁବଶୀଘ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ବର୍ତ୍ତମାନ ଦେଶ ପାଇଁ ଏକ ଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବଂ ଦଳର ଆଭିମୁଖ୍ୟକୁ ବିଚାରକୁ ନେଇ ସେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାକୁ ସ୍ଥିର କରିଥିବା କହିଛନ୍ତି। ଏହାବ୍ୟତୀତ ନିର୍ବାଚନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଭାଗ ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାରୁ ଗେହଲଟ ହିଁ ଦଳର ପରବର୍ତ୍ତୀ ମୁଖିଆ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି। ଯଦିଓ ଶଶୀ ଥରୁର, ଦିଗ ବିଜୟ ସିଂ, ମନୀଷ ତିୱାରୀ, କମଳନାଥଙ୍କ ଭଳି କିଛି ବରିଷ୍ଠ ନେତା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁହାଯାଉଛି, ତେବେ ଗେହଲଟ ହିଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି।