ଓଡ଼ିଶାଦେଶମୁଖ୍ୟ ଖବର

ଶୁଭ୍ରକାନ୍ତ ପଣ୍ଡା ହେଲେ ଫିକିର ପରବର୍ତ୍ତୀ ସଭାପତି

ଭୁବନେଶ୍ୱର : ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ୍‌ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ(ଫିକି)ର ପରବର୍ତ୍ତୀ ସଭାପତି। ଆଜି ମୁମ୍ୱାଇରେ ବସିଥିବା ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତାଙ୍କ ନାଁ ଘୋଷଣା କରାଯାଇଛି। ଡିସେମ୍ୱର ୧୬ ଓ ୧୭ ତାରିଖରେ ହେବାକୁ ଥିବା ଫିକିର ୯୫ତମ ବାର୍ଷିକ ସାଧାରଣ ବୈଠକରେ ସେ ସଭାପତି ଭାବେ ସଞ୍ଜୀବ ମେହେଟାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ। ଶ୍ରୀ ପଣ୍ଡା ବର୍ତ୍ତମାନ ଫିକିର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଅଛନ୍ତି। ଦେଶର ଶିଳ୍ପ ଓ ବାଣିଜ୍ୟ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା ‘ଫିକି ଇଣ୍ଡିଆ’ର ସଭାପତି ପଦବୀ ନିମନ୍ତେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା ଦାୟିତ୍ୱ ନେବେ।ସୁଚନାଯୋଗ୍ୟ ଯେ, ଶ୍ରୀ ପଣ୍ଡା ‘ଫିକି’ ସହିତ ଦୀର୍ଘ ୨୦ ବର୍ଷ ଧରି ବିଭିନ୍ନ କାର୍ଯ୍ୟ ସହ ଜଡ଼ିତ ଅଛନ୍ତି। ସେ ‘ଫିକି’ ଓଡ଼ିଶାର ପ୍ରଥମ ରାଜ୍ୟ ଅଧ୍ୟକ୍ଷ ହେବା ସହିତ ଜାତୀୟ ମାନୁଫାକ୍‌ଚରିଂ କମିଟିର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିଛନ୍ତି। ୨୦୧୭-୧୮ ମସିହାରେ ଆନ୍ତର୍ଜାତିକ ଚାମ୍ୱର ଅଫ୍‌ କମର୍ସର ଇଣ୍ଡିଆ ଚାମ୍ୱର ସଭାପତି ପଦ ଓ ୨୦୧୩-୧୫ ମସିହାରେ ପ୍ୟାରିସ୍‌ ସ୍ଥିତ ଇଣ୍ଟରନେସନାଲ୍‌ କ୍ରୋମିଅମ୍‌ ଡେଭଲପ୍‌ମେଣ୍ଟ ଆସୋସିଏସନ୍‌(ଆଇସଡିଏ)ର ସଭାପତି ପଦ ନିର୍ବାହ କରିଛନ୍ତି। ଆମେରିକା ସ୍ଥିତ ବୋଷ୍ଟନ ବିଶ୍ୱବିଦ୍ୟାଳୟ କ୍ୱେଷ୍ଟର୍ମ ସ୍କୁଲ ଅଫ୍‌ ବିଜନେସ୍‌ରୁ ଫାଇନାନ୍ସ ଓ ଅପରେସନ୍‌ ମ୍ୟାନେଜମେଣ୍ଟରେ ଯୌଥ ଡିଗ୍ରୀ ହାସଲ କରିଥିବା ଶ୍ରୀ ପଣ୍ଡା ପଢ଼ାପଢ଼ି ସହିତ ଟେକ୍ନୋଲୋଜିରେ ବିଶେଷ ରୁଚି ରଖନ୍ତି।

 

Show More

Related Articles

Back to top button