ଭୁବନେଶ୍ୱର: ଭୂବନେଶ୍ୱର ଏୟାରପୋର୍ଟରେ ବାଧ୍ୟତାମୂଳକ ହେଲା ମାସ୍କ ପରିଧାନ । ବିମାନବନ୍ଦରେ ପୁଣି କରୋନା କଟକଣାକୁ କଡାକଡି କରାଯାଇଛି । ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଆଜି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରା କହିଛନ୍ତି ଯେ, ଦିଲ୍ଲୀ ଓ ତା’ର ପାଶ୍ୱର୍ବର୍ତ୍ତୀ ଅଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସମସ୍ତ ଯାତ୍ରୀ, ବିମାନ ବନ୍ଦରର କର୍ମଚାରୀ, ଏୟାରଲାଇନ୍ସ କର୍ମଚାରୀ ଓ ଅନ୍ୟ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ବିମାନ ବନ୍ଦରର ସୁରକ୍ଷା କର୍ମୀଙ୍କୁ ଏନେଇ ଅବଗତ କରାଯାଇଛି ଓ ଯେଉଁମାନେ ମାସ୍କ ପିନ୍ଧିବା ନିୟମକୁ ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ପରେ ବିମାନ ବନ୍ଦର ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।