ଗଜପତି ମହାରାଜ ଅଧ୍ୟକ୍ଷତାରେ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଗଜପତି ମହାରାଜ ଅଧ୍ୟକ୍ଷତାରେ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଆଜି ସକାଳ ସାଢ଼େ ୧୦ରେ ବୈଠକ ବସିବ । ଫୋକସ୍ରେ ରହିଛି ଘୋଷଯାତ୍ରାର ନୀତି ନିର୍ଘଣ୍ଟ । ଏହାସହ ମହାପ୍ରଭୁଙ୍କ ବିଶ୍ୱ ପ୍ରଶିଦ୍ଧ ସ୍ନାନଯାତ୍ରା ମଧ୍ୟ ପାଖେଇ ଆସୁଛି । ତେଣୁ ସ୍ନାନଯାତ୍ରା ସହ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ନୀତି ନିର୍ଘଣ୍ଟ ବିଷୟରେ ଆଲୋଚନା ହେବା ସମ୍ଭାବନା ରହିଛି ।
ଜୁନ୍ ୧୪ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା । କୋଭିଡ୍ ଗ୍ରାଫରେ ହ୍ରାସ ଯୋଗୁଁ ଦୁଇବର୍ଷ ପରେ ସ୍ନାନ ବେଦୀରୁ ଭକ୍ତଙ୍କ ସହ ଭଗବାନଙ୍କ ମିଳନ ହେବ । ନିର୍ଘଣ୍ଟ ନୀତିକାନ୍ତି ଅନୁସାରେ-ଜୁନ୍ ୧୪ ରାତି ସାଢ଼େ ୩ଟାରେ ମଙ୍ଗଳାର୍ପଣ ହୋଇ ଡୋର ଲାଗି ଓ ପୁଷ୍ପାଞ୍ଜଳି ସରିବା ପରେ ଭୋର ୪ଟାରୁ ସ୍ନାନ ପହଣ୍ଡି ଆରମ୍ଭ ହେବ ବୋଲି ଛତିଶା ନିଯୋଗ ବୈଠକରେ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।
ସେହିପରି ଦେଖିବାକୁ ଗଲେ,ରଥଖଳାରେ ରଥ ନିର୍ମାଣ ଜୋରସୋରରେ ଚାଲିଛି । ୩ ରଥର ଚକ ଡେରା ପରେ ଦିଗ ନିର୍ଣ୍ଣୟ ସରିଛି । ଏହା ପରେ ଚକଗୁଡ଼ିକ ଯେପରି ଗଡ଼ି ନଯାଏ ସେଥିପାଇଁ ତାକୁ ଦୁଇ ପଟୁ ବାନ୍ଧି ଦିଆଯାଇଛି । ଅଖ ତଳେ ମେଣ୍ଡି ବାଡ଼ଇା ଶେଷ ହୋଇଛି । ୩ଟି ରଥର ଦୁଇଟି ଲେଖାଏଁ ଗରଗରା ବିନ୍ଧ କାମ ସହରିତ ଢମକ ଚଉପଟ କାମ ସରିଛି । ସେପରି ରୂପକାରସେବକମାନେ ୩ ରଥର ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ କାମ ଆରମ୍ଭ କରିଛନ୍ତି । ଓଝା ମହାରଣାମାନେ କମାର ଶାଳରେ ଭୂଇଁ କଣ୍ଟା, ଯୋଖା, ଚଣାକ, ବାଗିଆ, ଆଗ ପାତେଲି, ଚଉରସ କଣ୍ଟା ନିର୍ମାଣ କରୁଛନ୍ତି । ଏଥିରେ ୧୯୪ ସେବାୟତ ନିୟୋଜିତ ଅଛନ୍ତି ।