Breaking PLUSଦେଶମୁଖ୍ୟ ଖବର

ଭୋଟର ଲିଷ୍ଟ ସହ ଆଧାର ଲିଙ୍କ୍ ହେଲା ବାଧ୍ୟତାମୂଳକ! ଲୋକସଭାରେ ପାରିତ ହେଲା ବିଲ

ପ୍ରବଳ ହୋହଲ୍ଲା ଭିତରେ ଲୋକସଭାରେ ପାରିତ ହୋଇଛି ନିର୍ବାଚନ ବିଧି (ସଂଶୋଧନ) ବିଧେୟକ,୨୦୨୧ । ଏହି ବିଧେୟକରେ ଭୋଟର ଲିଷ୍ଟ ସହ ଆଧାରକୁ ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ, ଲୋକ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧କୁ ବଦଳାଇବାକୁ ପ୍ରସ୍ତାବ ରଖାଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ବିଧେୟକ ଜରିଆରେ ଭୋଟର କାର୍ଡ ସହ ଆଧାର ଲିଙ୍କ୍ ହେଲେ ଭୋଟିଂ ସିଷ୍ଟମରେ ଅନିୟମିତତାକୁ ଅତି ସହଜରେ ଜାଣିହେବ ବୋଲି କୁହାଯାଇଛି ।

ଲୋକସଭାରେ ଆଜି କଂଗ୍ରେସ ସମେତ ଟିଏମସି, ଏଆଇଏମଆଇଏମ୍, ଆରଏସପି, ବହୁଜନ ସମାଜବାଦୀ ପାର୍ଟି ଏହି ବିଧେୟକକୁ ବିରୋଧ କରିଥିଲେ । କଂଗ୍ରେସ ଏହି ବିଧେୟକର ଅଧିକ ବିଚାର ପାଇଁ ଏହାକୁ ସଂସଦର ସ୍ଥାୟୀ ସମିତିକୁ ପଠାଇବାକୁ ଦାବି କରିଥିଲା । ଆଇନ୍ ମନ୍ତ୍ରୀ କିରଣ ରିଜଜୁ ଲୋକସଭାରେ ଏହି ବିଧେୟକକୁ ଆଗତ କରିବା ସହିତ ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୦ ଓ ୧୯୫୧ରେ ସଂଶୋଧନ ପାଇଁ ପ୍ରସ୍ତାବ ଆଗତ କରିଥିଲେ ।

ଆଇନ୍ ମନ୍ତ୍ରୀ କିରଣ ରିଜଜୁ କହିଥିଲେ, ଜନ ପ୍ରତିନିଧିତ୍ୱ ନିୟମରେ ସଂଶୋଧନ ଏଥିପାଇଁ ଅଣାଯାଇଛି, ଯାହାଦ୍ୱାରା ଜଣେ ବ୍ୟକ୍ତି ଏକାଧିକ ନିର୍ବାଚନ କ୍ଷେତ୍ରରେ ଭୋଟିଂ କରିପାରିବେ ନାହିଁ । ଖାଲି ସେତିକି ନୁହେଁ, ଏହାହେଲେ ଭୋଟିଂ କ୍ଷେତ୍ରରେ ଅନେକ ଅନିୟମିତତାକୁ ମଧ୍ୟ ରୋକିହେବ ବୋଲି କୁହାଯାଉଛି ।

ତେବେ ସଂସଦରେ ଏହି ବିଲକୁ କଂଗ୍ରେସ ବିରୋଧ କରିଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ବିଧେୟକ ଉପରେ କହିଛନ୍ତି, ଆମର ଡାଟା ସୁରକ୍ଷା ଆଇନ୍ ଅନ୍ତର୍ଗତ ନୁହେଁ , ଏହାଦ୍ୱାରା ଲୋକଙ୍କ ଡାଟାର ଖରାପ ଉପଯୋଗ ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଏହି ବିଧେୟକକୁ ସରକାର ଫେରାଇ ନେବାକୁ କଂଗ୍ରେସ ନେତା ଦାବି କରିଥିଲେ । ସେହିପରି ଏଆଇଏମଆଇଏମ୍ ନେତା ଅସଉଦ୍ଧିନ୍ ଔବୈସୀ କହିଛନ୍ତି, ଏହି ବିଧେୟକ ସମ୍ବିଧାନର ମୌଳିକ ଅଧିକାର ଓ ବ୍ୟକ୍ତିଗତ ଅଧିକାରର ଉଲ୍ଲଙ୍ଘନ କରୁଛି । ଏହି ବିଧେୟକରେ ଗୁପ୍ତ ମତଦାନ ନିୟମର ମଧ୍ୟ ଉଲ୍ଲଙ୍ଘନ କରୁଛି । ସେହି କାରଣରୁ ସେ ଏହି ବିଧେୟକକୁ ବିରୋଧ କରୁଛନ୍ତି ବୋଲି ଅସଉଦ୍ଧିନ୍ ଔବୈସୀ କହିଛନ୍ତି ।

Show More

Related Articles

Back to top button