ଭକ୍ତଙ୍କ ପାଇଁ ଖୁସି ଖବର ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ
ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର।

ଭକ୍ତଙ୍କ ପାଇଁ ଏକ ଖୁସି ଖବର। ମେ’ ମାସ ୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହୋଇପାରିବେ ଭକ୍ତ। ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ଥିଲେ। ଏବେ ସଂକ୍ରମଣ ହ୍ରାସ ପାଉଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସେବାୟତ ପ୍ରତିନିଧି କହିଛନ୍ତି। ସେପଟେ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ବାରଣକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ।
ସେହିପରି ଆଗାମୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ବୈଠକରେ ଚୁଡାନ୍ତ ହୋଇଛି। ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲା ଭାଙ୍ଗିବା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ଦିର ଭିତରେ ଥିବା ସମସ୍ତ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।