
ଆମେରିକା ଭଳି ଦେଶରେ ବଢୁଛି କୋରାପୁଟ ହଳଦୀ ସାବୁନର ଚାହିଦା। କୋରାପୁଟ ହଳଦୀରୁ ପ୍ରସ୍ତୁତ ହେଉଥିବା ଏକ ସାବୁନ୍ ବର୍ତ୍ତମାନ ଆମେରିକାର ଗ୍ୱାତେମାଲା ରାଜ୍ୟରେ ଥିବା ଲୋକଙ୍କ ନିକଟରେ ଆଦୃତ ହୋଇପାରିଛି। ଯାହାକି ଅତ୍ୟନ୍ତ ଚର୍ଚ୍ଚାର ବିଷୟ ଅଟେ ।
ତେଣୁ ଏହି ସାବୁନ୍ ବର୍ତ୍ତମାନ ଆମେରିକାକୁ ରପ୍ତାନି କରାଯିବାକୁ ନିଷ୍ପତ୍ତି ହୋଇଛି । ବିଦେଶରେ ହଳଦୀ ସାବୁନ ବିକ୍ରି ହେଲେ ଜିଲ୍ଲାକୁ ସ୍ବତନ୍ତ୍ର ପରିଚୟ ମିଳିବା ସହ ସାବୁନ୍ ପ୍ରସ୍ତୁତ କରୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ । ସେମାନେ ଗୋଟେ ପ୍ରକାର ସ୍ୱାବଲମ୍ବୀ ହୋଇପାରିବେ ।
ଆମେରିକାକୁ ରପ୍ତାନି ପାଇଁ ଜିଲ୍ଲା ପ୍ରଶାସନ, ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ତେବେ ପରୀକ୍ଷା ମୂଳକ ଭାବେ କିଛି ସାବୁନ ପଠାଯାଇଥିଲା । ଏବେ ଏହି ସାବୁନ ସେଠାରେ ଆଦୃତ ହୋଇସାରିଛି। ତେଣୁ ଏହାକୁ ବ୍ୟବସାୟରେ ପରିଣତ କରି ବ୍ୟବସାୟକୁ ପ୍ରୋତ୍ସାହନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁ ସ୍ୱୟଂସହାୟକ ଗୋଷ୍ଠୀ ଏହି ସାବୁନ ପ୍ରସ୍ତୁତ କରିଥିଲେ ସେମାନେ ଏବେ ବହୁତ ଖୁସି ଥିବା ଓରମାସର ରୋଶନ କୁମାର କାର୍ତ୍ତିକ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରତିବର୍ଷ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ପ୍ରାୟ ୧ ହଜାର ମେଟ୍ରିକ ଟନ୍ ହଳଦୀ ଉତ୍ପାଦନ ହେଉଛି। ଏବେ ଏହି ହଳଦୀରୁ ସାବୁନ ତିଆରି କରାଯାଇ ବିଭିନ୍ନ ଜିଲ୍ଲାରେ ବିକ୍ରି କରାଯାଉଛି। ଏଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରୁଥିବା ସୂଚନା ରହିଛି। ୨୦୨୧ରୁ ଏହି ସ୍ୱୟଂ ସେବକ ସଂଗଠନ ସାବୁନ ତିଆରି କରିବା ଆରମ୍ଭ କରିଥିଲେ। ବର୍ତ୍ତମାନ ଏହି ସାବୁନକୁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରେ ଚଣ୍ଡିଗଡ, ପଞ୍ଚାବ, ରାଜସ୍ଥାନ, ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ବଡ ବଡ ସହରକୁ ରପ୍ତାନୀ କରାଯାଉଛି ।