
ବର୍ମିଂହାମ: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନରେ ଭାରତକୁ ସ୍ୱର୍ଣ୍ଣ ବର୍ଷା ହେଉଛି। ଶେଷ ଦିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଆଜି ଦେଶ ପାଇଁ ଭାରତୀୟ ଖେଳାଳି ଜିତିଛନ୍ତି ୪ଟି ସ୍ୱର୍ଣ୍ଣ ପଦକ। ସେଥିରୁ କେବଳ ୩ଟି ଆସିଛି ବ୍ୟାଡ଼ମିଣ୍ଟନରୁ। ପ୍ରଥମେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତିଲେ। ତାଙ୍କ ପରେ ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ଲକ୍ଷ୍ୟ ସେନ୍। ଆଉ ଏହା ପରେ ପୁରୁଷ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଯୋଡ଼ି। ଏହା ସହିତ ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ବ୍ୟାଡମିଣ୍ଟନରେ ତିନିଟି ସ୍ୱର୍ଣ୍ଣ ପଦକ ଜିତିଛି। ସେହିପରି ଆଜି ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଆସିଛି ଟେବୁଲ୍ ଟେନିସ୍ରୁ। ଏହାକୁ ଜିତିଛନ୍ତି ଦେଶର ଖେଳାଳି ଅଚନ୍ତା ଶରତ କମଳ। ବ୍ୟାଡ଼ମିଣ୍ଟନ ପୁରୁଷ ଡବଲ୍ସରେ ସାତ୍ୱିକ ଓ ଚିରାଗଙ୍କ ଯୋଡି ଫାଇନାଲରେ ଇଂଲଣ୍ଡର ଲେନ ବେନ ଓ ସିନ ମେଣ୍ଡିଙ୍କୁ ୨୧-୧୫, ୨୧-୧୩ରେ ମାତ ଦେଇଥିଲେ । ସାତ୍ୱିକ ଓ ଚିରାଗଙ୍କ ଯୋଡି ସେମିଫାଇନାଲରେ ମାଲେସିୟାର ଚେନ ପେଙ୍ଗ ସୁନ ଓ ଟେନ କିୟାନ ମେଙ୍ଗଙ୍କୁ ହରାଇ ଫାଇନାଲ ଟିକେଟ ହାତେଇଥିଲେ ।ଏହା ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡମିଣ୍ଟନରେ ପୁରୁଷ ଡବଲ୍ସରେ ଦେଶ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ପାଇଛି। ୪୫ ମିନିଟ୍ ପର୍ୟ୍ୟନ୍ତ ଏହି ମୁକାବିଲା ଚାଲିଥିଲା। ଏଥିରେ ସାତ୍ୱିକସାଇରାଜ ଓ ଚିରାଗ ଦମ୍ଦାର ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଟେବୁଲ ଟେନିସ୍ ପୁରୁଷ ଏକକ ବର୍ଗରେ ଭାରତର ୪୦ ବର୍ଷୀୟ ଅଚନ୍ତା ଶରତ କମଳ ଇଂଲଣ୍ଡର ଲିୟାମ ପିଚଫୋର୍ଡଙ୍କଠାରୁ ୧୧-୧୩, ୧୧-୭, ୧୧-୨ ଓ ୧୧-୭ରେ ଜିତିଥିଲେ।ଏବେ ଯାଏଁ ଭାରତ ୬୦ ପଦକ ପାଇ ସାରିଲାଣି । ସେଥିରେ ୨୨ଟି ସ୍ୱର୍ଣ୍ଣ, ୧୫ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି । ଆଜି ଗୋଟିଏ ଦିନରେ ଭାରତ ମୋଟ ୪ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହାସହ ଟେବୁଲ ତାଲିକାରେ ଭାରତ ଏବେ ଚତୁର୍ଥ ସ୍ଥାନରେ ରହିଛି ।