୨୧ରୁ ବରଗଡ଼, ୨୨ରେ ସମ୍ବଲପୁର ଜିଲାରେ ଧାନସଂଗ୍ରହ

ଭୁବନେଶ୍ୱର : ଚଳିତମାସ ୨୧ରୁ ବରଗଡ଼ ଜିଲାରେ ଖରିଫ ଋତୁ ଲାଗି ପ୍ରଥମ ପର୍ଯ୍ୟାୟ ଧାନ ସଂଗ୍ରହ କରାଯିବ। ଏହାପରେ ୨୨ତାରିଖରେ ସମ୍ବଲପୁର ସଦରରେ ଧାନ ସଂଗ୍ରହ ହେବ। ୨୭ରେ ସମ୍ବଲପୁରର କୁଚିଣ୍ଡା ଓ ରେଢ଼ାଖୋଲରେ ଧାନ ସଂଗ୍ରହ କରାଯିବ। ଏନେଇ ସଂପୃକ୍ତ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି।
ବିଭାଗୀୟ ତଥ୍ୟ ଅନୁଯାୟୀ, ଧାନ ସଂଗ୍ରହ ପୂର୍ବରୁ ସଂପୃକ୍ତ ଜିଲାର ଚାଷୀ ସଙ୍ଗଠନ, ବିଧାୟକ ଓ ଜିଲା ପ୍ରଶାସନକୁ ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଧାନ ସଂଗ୍ରହ ବେଳେ ସଂପୃକ୍ତ ଅଞ୍ଚଳର ଚାଷୀ ସଙ୍ଗଠନ ଓ ଯୋଗାଣ ଅଧିକାରୀ ରହିବେ। ଚଳିତବର୍ଷ ମିଲର୍ସମାନେ ଧାନ ସଂଗ୍ରହ ପୂର୍ବରୁ ମଣ୍ଡିରେ ଉପସ୍ଥିତ ରହିବେ। ପୂର୍ବବର୍ଷଗୁଡିକରେ ଯେଭଳି ଭାବେ ମିଲର୍ସମାନେ ଆସିଲେ ଧାନ ସଂଗ୍ରହ ହେଉଥିଲା, ଏଣିକି ସେସବୁ ଚଳିବନାହିଁ। ଚାଷୀମାନେ ଧାନ ମଣ୍ଡିରେ ଧାନ ଥୋଇ ମିଲର୍ସଙ୍କୁ ଅପେକ୍ଷା କରିବେ ନାହିଁ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଚଳିତବର୍ଷ ରାଜ୍ୟରେ ଭଲ ଧାନ ଫସଲ ହୋଇଛି। ସରକାରଙ୍କ ପକ୍ଷରୁ ଖରିଫ ଋତୁ ଲାଗି ୬୫ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବାକୁ ରହିଥିବାବେଳେ ରବିଋତୁ ଲାଗି ୧୪ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ କରାଯିବ। ଚଳିତବର୍ଷ ରାଜ୍ୟ ସରକାର ଚାଷୀଙ୍କ ସବୁଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେବେ ନାହିଁ। ଏହି ମର୍ମରେ ଖରିଫ ବିପଣନ ବର୍ଷ ୨୦୨୩-୨୪ ପାଇଁ ଖାଦ୍ୟ ଓ ସଂଗ୍ରହ ନୀତିକୁ ସରକାରଙ୍କ ଅନୁମୋଦନ ମିଳିଛି। ସଂଗ୍ରହ ନୀତି ଅନୁଯାୟୀ, ଚଳିତବର୍ଷ ସର୍ବନିମ୍ନ ସହାୟକ ରାଶି ପ୍ରଦାନ କରି ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ଏବଂ ନିଯୁକ୍ତିପ୍ରାପ୍ତ କଷ୍ଟମ ମିଲରମାନଙ୍କ ଦ୍ବାରା ଏହି ଧାନକୁ ମିଲିଂ କରାଯାଇ ସମତୁଲ୍ୟ ଚାଉଳ ସଂଗ୍ରହ କରାଯିବ। ସଂଗୃହୀତ ଚାଉଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରାଯିବ।