ଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ

ଶ୍ରୀକ୍ଷେତ୍ର ହେବ ବିଶ୍ବ ଐତିହ୍ୟ ସହର। ଦେଶର ଅନ୍ୟାନ୍ୟା ଧାର୍ମିକ ପୀଠ ଅପେକ୍ଷା ପୁରୀ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତ ତଥା ତୀର୍ଥଯାତ୍ରୀମାନେ ପାଇବେ ସ୍ବତନ୍ତ୍ର ବ୍ୟବସ୍ଥା।

ଗତ ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଆଗାମୀ ଦେଢ ବର୍ଷ ଭିତରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୩୧ କୋଟି ୨୮ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି । ଟାଟା ପ୍ରୋଜେକ୍ଟ ଏହି କାର୍ଯ୍ୟର ଦାୟିତ୍ବ ନେଇଥିବା ବେଳେ ପ୍ରଥମେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ସୌନ୍ଦର୍ଯ୍ୟକରଣ ସହ ପରିକ୍ରମା ମାର୍ଗର କାର୍ଯ୍ୟ ଆରମ୍ଭ ହୋଇଛି । ଏହି ମେଗା ପ୍ରକଳ୍ପର ଚାରୋଟି ବିଶେଷତ୍ବ ରହିଛି। ପ୍ରଥମ ପରିକ୍ରମା ପ୍ରକଳ୍ପରେ ଯାତ୍ରୀ ସେବା ଓ ଐତିହ୍ୟ ପରିକ୍ରମା ବିକାଶ ସହ ଏହାକୁ ସାତୋଟି ଜୋନରେ ବିଭକ୍ତ କରାଯାଇଛି । ଦ୍ବିତୀୟଟି ୬ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଅଭ୍ୟର୍ଥନା ପ୍ରକୋଷ୍ଠ ।

ତୃତୀୟରେ ଦର୍ଶନାର୍ଥୀଙ୍କୁ ଯାବତୀୟ ସୁବିଧା ସୁଯୋଗ ପ୍ରଦାନ ଓ ଶେଷ ଅର୍ଥାତ ଚତୁର୍ଥଟି ହେଉଛି ପରିକ୍ରମା ପ୍ରକଳ୍ପ ପରିସରରେ ରହିଥିବା ୧୫ଟି ପୁରାତନ ମଠ ସମୁହର ପୁନଃନିର୍ମାଣ । ତେବେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଖୋଲା ରହିବା ସହ ପରିକ୍ରମା ପ୍ରକଳ୍ପ ଶ୍ରୀମନ୍ଦିରର ଅନ୍ୟ ତିନି ଦିଗରେ ରହିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଟାଟା ପ୍ରୋଜେକ୍ଟ ନେଇଥିବା ବେଳେ ସମସ୍ତ ନିର୍ମାଣ କାର୍ଯ୍ୟ କଳିଙ୍ଗ କଳା ସ୍ଥାପତ୍ୟ ଢାଞ୍ଚାରେ କରାଯିବ। କେବଳ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନୁହେଁ ପୁରୀକୁ ଐତିହ୍ୟ ସହର ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ୩ ହଜାର ୨ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ବରାଦ କରିଛନ୍ତି । ଏଥିରେ ଏକାଧିକ ପ୍ରକଳ୍ପ ରହିଥିବା ବେଳେ ପ୍ରମୁଖ ପ୍ରକଳ୍ପ ହେଉଛି ଟ୍ରମ୍ପେଡ ବା ଶ୍ରୀସେତୁ ନିର୍ମାଣ । ଜଗନ୍ନାଥ ବଲ୍ଲଭରେ ମଲ୍ଟି ଲେବଲ ପାର୍କିଂ, ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ବାରର ନବୀକରଣ ସହ ଏହି ପୂରାତନ ସହରର ବିଭିନ୍ନ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି। ଆଉ ଏହି କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ପ୍ରଶାସନିକ ଅଧିକାରୀ ମାନେ କହିଛନ୍ତି।

Show More

Related Articles

Back to top button