ଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିରରେ ଦାନଦକ୍ଷିଣା ଆଦାୟ ଉପରେ କଟକଣା ସତ୍ତ୍ବେ ଅବମାନନା କରୁଛନ୍ତି ସେବାୟତ

ଏଣିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଖୁଲମଖୁଲା ଉଲ୍ଲଂଘନ। ଦାନ ଦକ୍ଷିଣା ଆଦାୟ ଉପରେ କଟକଣା ଥିବା ସତ୍ତ୍ବେ ଶ୍ରୀମନ୍ଦିରରେ ଏହାକୁ ପାଳନ କରାଯାଉନାହିଁ ।

ଶ୍ରୀମନ୍ଦିର ବାହାରେ ଥିବା ଅରୁଣସ୍ତମ୍ଭ ସମେତ ଭିତରେ ଥିବା ଗରୁଡସ୍ତମ୍ଭ ଏବଂ ଅନ୍ୟାନ୍ୟ ପାର୍ଶ୍ବ ଦେବା ଦେବୀଙ୍କ ମନ୍ଦିରରେ ଥାଳି ରଖାଯାଇ ଭକ୍ତଙ୍କଠାରୁ ଦକ୍ଷିଣା ଆଦାୟ କରାଯାଉଛି। ଅନେକ ସମୟରେ ଏହି ଦକ୍ଷିଣା ଆଦାୟକୁ ନେଇ ଭକ୍ତ ଓ ପୂଜକଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜୁଛି । ତେବେ ଏହା ଉପରେ ରୋକ ଲଗାଇବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡାକଡି ପାଳନ କରିବା ପାଇଁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ଭକ୍ତଙ୍କର ସମସ୍ତ ଦାନ ହୁଣ୍ଡିକୁ ଯିବା ଉଚିତ ବୋଲି ଭକ୍ତମାନେ ମତ ଦେଇଥିବା ବେଳେ ଶ୍ରୀମନ୍ଦିରର ରାଜସ୍ବ ବଢିବା ସହ ଏହି ଅର୍ଥ ମହାପ୍ରଭୁଙ୍କ ବିଭିନ୍ନ କାର୍ଯ୍ୟରେ ବିନିଯୋଗ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ତେବେ ପୂର୍ବ ଭଳି ସେବାୟତମାନେ ଆଉ ଶ୍ରୀମନ୍ଦିରରେ ଭକ୍ତଙ୍କଠାରୁ ଦକ୍ଷିଣା ଆଦାୟ କରୁନଥିବା ପରିଚାଳନା କମିଟି ସଦସ୍ୟ କହିଛନ୍ତି। ରେକର୍ଡ ଅଫ ରାଇଟ ଅନୁସାରେ ଅଳ୍ପ କିଛି ସେବାୟତ ନିଯୋଗକୁ ମନ୍ଦିର ଭିତରେ ଥାଳି ରଖି ଦକ୍ଷିଣା ଆଦାୟ ପାଇଁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।

ଗତ ୨୦୧୮ ମସିହାରେ ଶ୍ରୀମନ୍ଦିରରେ ଦାନଦକ୍ଷିଣା ଆଦାୟ ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ। ପରେ ଏହି ନିର୍ଦ୍ଦେଶନାମାକୁ କଡାକଡି ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିଲା । କିଛି ଦିନ ଏହି କଟକଣା ଠିକ୍ ଠାକ୍ ଚାଲିବା ପରେ ଏବେ କିନ୍ତୁ ପୁଣି ପୂର୍ବାବସ୍ଥାକୁ ଫେରିଆସିଛି ଦାନ ଦକ୍ଷିଣା ଆଦାୟ। ସେପଟେ ଭକ୍ତ ମାନଙ୍କ ଦାନ ଦକ୍ଷିଣା ଦ୍ବାରା ସେବାୟତ, ପୂଜକମାନେ ତାଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ଏହି ଦାନ ଦକ୍ଷିଣାକୁ ଛାଡିଦେଲେ ସେବାୟତ ଓ ପୂଜକଙ୍କ ଅନ୍ୟ କୌଣସି ବିକଳ୍ପ ରୋଜଗାର ନଥିବା କହିଛନ୍ତି ସେବାୟତ। ତେବେ ଶ୍ରୀମନ୍ଦିରରେ କାହାକୁ ଜୋର ଜବରଦସ୍ତ କରି ଦାନ ଦକ୍ଷିଣା ଆଦାୟ କରାଯାଉନଥିବା ବେଳେ ଏହି କଟକଣାକୁ କୋହଳ କରାଯିବା ପାଇଁ ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି ସେବାୟତ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ।

Show More

Related Articles

Back to top button