ଓଡ଼ିଶାପାଣିପାଗ

ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ସି-ତ୍ରଙ୍ଗ,ପ୍ରଭାବରେ ରାଜ୍ୟରେ ୨ଦିନ ବର୍ଷା

ଆସନ୍ତା କାଲି ତୀବ୍ର ଅବପାତରେ ପରିଣତ ହେବ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ । ୨୪ ତାରିଖ ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ସି-ତ୍ରଙ୍ଗ । ପ୍ରଭାବରେ ରାଜ୍ୟରେ ୨ଦିନ ପ୍ରବଳ ବର୍ଷା ହେବ । ବାତ୍ୟା ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବନି ।  ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଇଏମ୍‌ଡି ଆକଳନ ଅନୁଯାୟୀ, ସୃଷ୍ଟି ହୋଇଥିବା ଅବପାତ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ତୀବ୍ର ଅବପାତ ହେବ । ପରେ ସାମାନ୍ୟ ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଆଡ଼କୁ ଗତି କରି ବାତ୍ୟା ରୂପ ନେବ । ବାତ୍ୟା ସୃଷ୍ଟି ପରେ ଉତ୍ତର ଓ ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ। ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ୱୀପ ଓ ସାଣ୍ଡୱିପ୍‌ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନରେ ଦର୍ଶାଯାଇଛି ।

ଓଡ଼ିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ । ବାତ୍ୟା ପ୍ରଭାବରେ ରବିବାର କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷିବ । ୭ରୁ ୧୧ ସେମି ବର୍ଷା ହୋଇପାରେ । ୨୪ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ କଟକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ଅଛି ।

ଏନେଇ ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୨୪ ତାରିଖ ବିଳମ୍ବିତ ରାତି ବା ୨୫ ତାରିଖ ସକାଳୁ ବାତ୍ୟା ବାଂଲାଦେଶରେ ଲ୍ୟାଣ୍ଡଫଲ୍‌ କରିପାରେ । ବାତ୍ୟା ପ୍ରଭାବରେ ୨୩ରେ ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ଓ ଭଦ୍ରକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ୨୪ ଅପରାହ୍ନରୁ ୨୫ ତାରିଖ ଭିତରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁରର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଭାରୀ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ଓଡ଼ିଶା ଠାରୁ ପ୍ରାୟ ୧୫୦କିମି ଦୂରରେ ବାତ୍ୟା ଅତିକ୍ରମ କରିବ ।

 

Show More

Related Articles

Back to top button