
ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ସେଥିପାଇଁ ଚଳଚଞ୍ଚଳ ରଥଖଳା । କାହାରି ହାତକୁ ନାହିଁ ଫୁରସତ । ବର୍ତ୍ତମାନ ସୁଦ୍ଧା ତିନି ରଥର ଦଣ୍ଡାରେ କଣ୍ଟା ବାଡ଼ିଆ ସମ୍ପୂର୍ଣ୍ଣ ହୋଇଛି। ତିନି ରଥର ଦଣ୍ଡା ଫ୍ରେମରେ ଏହି ‘ଦଣ୍ଡାକଣ୍ଟା’ପ୍ରତି ରଥ ପାଇଁ ଭିନ୍ନ ଭିନ୍ନ ଲାଗିଥାଏ । ‘ତାଳଧ୍ଵଜ’ ରଥ ଦଣ୍ଡା ଫ୍ରେମରେ ୭୭ ଗୋଟି ଦଣ୍ଡା କଣ୍ଟା, ‘ ଦେବଦଳନ’ ରଥ ଦଣ୍ଡା ଫ୍ରେମରେ ମୋଟ ୫୮ ଗୋଟି କଣ୍ଟା ବସିଛି । ବାକି ‘ନନ୍ଦିଘୋଷ’ ରଥ ଦଣ୍ଡା ଫ୍ରେମ ରେ ମୋଟ ୮୮ ଗୋଟି ଦଣ୍ଡା କଣ୍ଟା ଲାଗିଥାଏ। ଏହାସହ ବୁଧବାର ତିନି ରଥର ଦଣ୍ଡା ଫ୍ରେମରେ କଣ୍ଟା ବସିବା ପରେ ତିନି ରଥର ଦୁଇଟି ଲେଖାଁଏ ‘ଗରଗରା’ ରଥ ଉପରକୁ ଉଠିଛି। ଏବେ ଗରଗରାରେ କାପ ଖୋଦେଇ ପାରେ କଣ୍ଟା ବାଡ଼ିଆ କାର୍ଯ୍ୟ କମାର ସେଵକ ମାନେ କରିବେ ।
ସେହିପରି ଗୁରୁବାର ସୁଦ୍ଧା ତାଳଧ୍ଵଜ ରଥ ଏବଂ ନନ୍ଦିଘୋଷ ରଥର ୧୨ ଗୋଟି ଲେଖାଁଏ ଗୟଳ ରୁ ୧୧ଟି ଲେଖାଁଏ ଗୟଳ ଚଉପଟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଦେବଦଳନ ରଥର ମୋଟ ୭ଟି ଗୟଳ ରୁ ଆଜସୁଦ୍ଧା ୬ଗୋଟି ଗୟଳ ର ଚଉପଟ କାର୍ଯ୍ୟ ଶେଷ ହୋଇଛି। ସେପଟେ ତିନି ରଥର ସିଂହାସନରେ କୁମ୍ଭ ଡାଳି, ଲତା ଏବଂ ପଦ୍ମ ପାଖୁଡ଼ା ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ, ନାଟ ଗୋଡ଼ ଗୁଡ଼ିକରେ ଗନ୍ଧର୍ବ ରୁପ ଖୋଦେଇ ଜାରି ରଖିଛନ୍ତି ରୂପକାର ସେବକମାନେ ।