ଆସନ୍ତା ୪ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା!

ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭ ତାରିଖ ଯାଏ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଏଥିସହ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ । ରାଜ୍ୟର ଅନ୍ୟ ଅଞ୍ଚଳରେ ପାଗ ମୁଖ୍ୟତଃ କୋହଲା ରହିବ । ୮ ତାରିଖଠାରୁ ରାଜ୍ୟରେ ସେଭଳି ବର୍ଷା ନ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ୱାସ କହିଛନ୍ତି ।
ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ହେବନି । ତେବେ ଏହାପରେ ରାତିର ତାପମାତ୍ରା ସାମାନ୍ୟ କମିବ । ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାର କୋଟପାଡ଼ରେ ୭୪ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୫୫.୪ ମିମି ବର୍ଷା ରେକର୍ଡ କରାଯାଇଛି । ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରି ରେକର୍ଡ କରାଯାଇଛି ।