ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ମଣିପୁର ନେଇ କଲେ ଚିନ୍ତାପ୍ରକଟ
ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେଇ କହିଛନ୍ତି, ମୋର ପ୍ରିୟ ୧୪୦ କୋଟି ପରିବାରଜନ, ଆମର ଲୋକତନ୍ତ୍ର ବିଶ୍ୱରେ ସବୁଠୁ ବଡ଼। ଆଜାଦିରେ ଯେଉଁମାନେ ବଳିଦାନ ଦେଇଛନ୍ତି ସମସ୍ତଙ୍କୁ ସମ୍ମାନ ଜଣାଉଛି । ମୋଦି କହିଛନ୍ତି ଦେଶରେ ସୁଯୋଗର ଅଭାବ ନାହିଁ । ଆପଣ ଯେତେ ଚାହିଁବେ ଦେଶ ଦେବାରେ ସକ୍ଷମ । ଦେଶରେ ସ୍ୱତନ୍ତ୍ର ଶକ୍ତି ଯୋଡ଼ି ହେଉଛି । ମା ଏବଂ ଭଉଣୀମାନେ ଦେଶକୁ ଆହୁରି ଶକ୍ତିଶାଳୀ କରୁଛନ୍ତି । ଏହା ସାଧାରଣ ଜନତାଙ୍କ କଠିନ ପରିଶ୍ରମ । କୃଷକଙ୍କ ଶକ୍ତି ଯୋଡ଼ି ହେଉଥିବାରୁ ଦେଶ କୃଷିକ୍ଷେତ୍ରରେ ଆଗକୁ ବଢ଼ୁଛି । ମୁଁ ଶ୍ରମିକ ଏବଂ ଶ୍ରମିକମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।
କରୋନା ମହାମାରୀ ପରେ ବିଶ୍ୱର ଗତିପଥ ବଦଳିଛି । ନୂଆ ଶକ୍ତିର ଆବିର୍ଭାବ ହୋଇଛି । କୋଭିଡ କାଳରେ ଭାରତ ବିଶ୍ୱକୁ ମାନବିକତା ଶିଖାଇଛି । ସାରା ବିଶ୍ୱବାସୀଙ୍କ ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଛି ଦେଶ । କରୋନା ପରେ ଭାରତ ବିଶ୍ୱମିତ୍ରର ପରିଚୟ ସୃଷ୍ଟି କରିଛି । ବିଶ୍ୱବାସୀଙ୍କୁ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଦେଖାଉଛୁ । ଭାରତ ବିଶ୍ୱ ମଙ୍ଗଳ ପାଇଁ କାର୍ଯ୍ୟ କରି ଚାଲିଛି ।
କିଛି ଦିନ ହେଲା ମଣିପୁର ହିଂସା ମୋତେ ବ୍ୟଥିତ କରିଛି । ଏହା ଭିତରେ ମଣିପୁରରେ ଶାନ୍ତି ଫେରିବା ମଧ୍ୟ ଆଶ୍ୱସ୍ତ କରିଛି । ସାରା ଦେଶ ମଣିପୁରବାସୀଙ୍କ ପଛରେ ଛିଡ଼ା ହୋଇଛି । ଉତ୍ତର ପୂର୍ବାଞ୍ଚଳର ଏହି ରାଜ୍ୟରେ ସ୍ଥିତି ଦିନକୁ ଦିନ ସୁଧୁରୁଛି ।
୨୦୧୪ରେ ସରକାର ଗଠନ କରିବା ପରେ ସଂସ୍କାର ଅଣାଯାଇଛି । ସଂସ୍କାର ଆଣିବା ପାଇଁ ଦରକାର ସାହସ ମୋ ସରକାରର ରହିଛି । ରିଫର୍ମ ସହ ପରଫର୍ମ କରି ଦେଶର ବିକାଶରେ ସାମିଲ ହୋଇଛି । ମୋ ସରକାର ଜଳଶକ୍ତି ମନ୍ତ୍ରାଳୟ ଗଠନ କରିଛି ।
ଭ୍ରଷ୍ଟାଚାର ରାକ୍ଷସ ଦେଶକୁ ରସାତଳକୁ ନେଇଥିଲା । ୧୦ ବର୍ଷ ତଳେ ରାଜ୍ୟକୁ ୨୦ ଲକ୍ଷ କୋଟି ଟଙ୍କା ଯାଉଥିଲା । ବର୍ତ୍ତମାନ ରାଜ୍ୟମାନଙ୍କୁ ୧୦୦ ଲକ୍ଷ କୋଟି ଟଙ୍କା ଯାଊଛି ।
ଦେଶରେ ଗରୀବ କମିଲେ ମଧ୍ୟମ ବର୍ଗ ଶକ୍ତି ବଢ଼ିବ । ଆସନ୍ତା ୫ ବର୍ଷରେ ଗ୍ୟାରେଣ୍ଟି ଦେଉଛି ଏହା ପୂରଣ ହେବ । ସହରରେ ବସ୍ତିରେ ରହୁଥିବା ଲୋକଙ୍କ ଜୀବନ ମାନ ବଢ଼ିବ । ସହରରେ ଘର କରି ରହିବା ପାଇଁ ସହଯୋଗ ଦିଆଯିବ । ବ୍ୟାଙ୍କରୁ ରିହାତିରେ ଋଣ ଯୋଗାଇ ଦିଆଯିବ । ଆଧୁନିକତା ଆଡେ ଆମେ ଅଗ୍ରସର ହେଉଛନ୍ତି ।
ରାଷ୍ଟ୍ର ଚରିତ୍ର ନେଇ ନୂଆ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିବିଧତା ଭିତରେ ଏକତା ନେଇ ସଂକଳ୍ପ ନେବା । ୨୦୪୭ ସୁଦ୍ଧା ଦେଶକୁ ବିକଶିତ ରାଷ୍ଟ୍ର କରିବା ସଂକଳ୍ପ ନେବା । ଚନ୍ଦ୍ରଯାନରେ ମହିଳା ବୈଜ୍ଞାନକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜି-୨୦କୁ ସଫଳ କରିବା ପାଇଁ ମହିଳାଙ୍କ ଭୂମିକା ପ୍ରଶଂସନୀୟ । ଭାରତ ଗଣତନ୍ତ୍ରର ଜନନୀ, ବିବିଧତାର ପ୍ରତୀକ । ଆଜି ଦେଶର ୧୦ କୋଟି ମହିଳା SHGରେ ଯୋଡ଼ି ହୋଇଛନ୍ତି । ମହିଳାଙ୍କୁ ଡ୍ରୋନ୍ ଟ୍ରେନିଂ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ହଜାର ସଂଖ୍ୟାରେ ମହିଳା କୃଷି କ୍ଷେତ୍ରରେ କାର୍ଯ୍ୟ କରିପାରିବେ ।
ଭ୍ରଷ୍ଟାଚାର ଦୂର ପାଇଁ ମୁଁ ସଂକଳ୍ପ ନେଇଛି । ୩ଟି କୁବ୍ୟବସ୍ଥା ବିରୋଧରେ ଲଢ଼େଇ ଜାରି ରହିବ । ଭ୍ରଷ୍ଟାଚାର, ପରିବାରବାଦ, ତୁଷ୍ଟୀକରଣ ବିରୋଧରେ ଲଢ଼ିବି । ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଯାହା ଦରକାର କରିବାକୁ ପ୍ରତିଜ୍ଞାବଦ୍ଧ ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରି ମଧ୍ୟ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି, ସ୍ୱାଧୀନତା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା । ଆସନ୍ତୁ ସମସ୍ତେ ମିଶି ଏହି ଐତିହାସିକ ଦିବସ ଅବସରରେ ଅମୃତକାଳରେ ବିକଶିତ ଭାରତର ସଂକଳ୍ପକୁ ଅଧିକ ସଶକ୍ତ କରିବା… ଜୟ ହିନ୍ଦ! ‘