ମୋଦି: ଏହି କ୍ଷେତ୍ରରେ ଆତ୍ମ ନିର୍ଭର ହେଲା ଭାରତ
ଟୁଇଟ୍ କରି ସରକାରଙ୍କ ଉପଲବ୍ଧି ବଖାଣିଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ନିକଟରେ ଆଠ ବର୍ଷ ପୂରିଛି। ଏହି ପରିପ୍ରେକ୍ଷୀରେ ଶନିବାର ନିଜ ସରକାରର ୮ ବର୍ଷ ପୂର୍ତ୍ତି ଅବସରରେ ସରକାର ଉଠାଇଥିବା ପଦକ୍ଷେପ ଏବଂ ଯୋଜନାର ଉପଲବ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ ଏବଂ ସବକା ପ୍ରୟାସର ମନ୍ତ୍ରରେ ପ୍ରେରିତ ହୋଇ ଆମ ସରକାର ଜନ ସମର୍ଥକ ଶାସନକୁ ଆଗକୁ ବଢାଇ ପାଇଁ ଅନେକ ପ୍ରୟାସ କରାଯାଇଛି। ଯେଉଁଥିରେ ଗରିବ, ଯୁବ ବର୍ଗ, କୃଷକ, ମହିଳା ଏବଂ ବଞ୍ଚିତ ବର୍ଗର ଲୋଙ୍କୁ ସାହାଯ୍ୟ ମିଳି ପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ ସହିତ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସର୍ଜିକାଲ ଷ୍ଟ୍ରାଇକ, ଆତଙ୍କୀ ଆକ୍ରମଣ ହ୍ରାସ ପାଇବା, ଅନୁଚ୍ଛେଦ ୩୭୦ ଉଚ୍ଛେଦ, ପ୍ରତିରକ୍ଷା କ୍ଷେତ୍ରରେ ୬ ଗୁଣା ରପ୍ତାନୀ ବୃଦ୍ଧି, ଗୁରୁତ୍ଵପୂର୍ଣ୍ଣ ବାଣିଜ୍ୟ ଚୁକ୍ତିନାମା ଏବଂ କୋଭିଡ ଭ୍ୟାକ୍ସିନ ସମେତ କିଛି ଉପଲବ୍ଧି ଉଲ୍ଲେଖ କରିଛନ୍ତି।
କରୋନା କାଳରେ ଭାରତ ୧୦୦ ଦେଶକୁ ଔଷଧ ରପ୍ତାନୀ କରିବା ସହ ଅଭାବି ଦେଶଗୁଡିକୁ ୨୧ କୋଟିରୁ ଅଧିକ କରୋନା ଡଜ୍ ଉପଲବ୍ଧ କରାଇଛି। ଭାରତର ରପ୍ତାନୀ ରେକର୍ଡ ମଧ୍ୟ ରେକର୍ଡସ୍ତରରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ବିଦେଶୀ ନିବେଶ ମଧ୍ୟ ରେକର୍ଡ ସ୍ତରରେ ବଢିଛି। ଦୁନିଆ ସଂପ୍ରତି ଭାରତ ସହିତ କାରବାର କରିବାକୁ ଚାହୁଁଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ମୋଦୀ ସରକାରଙ୍କ ୮ ବର୍ଷର କାର୍ଯ୍ୟକାଳରେ ପ୍ରତିରକ୍ଷା କ୍ଷେତ୍ରରେ ଅନେକ ସୁଧାର ଆସିଛି, ଯେଉଁଥିରେ ଦେଶର ସୀମା ସୁରକ୍ଷା ଆହୁରି ମଜବୁତ ହୋଇଛି। ଘରୋଇ ପ୍ରତିରକ୍ଷା ବିନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ଏଥିପ୍ରତି ଗୁରୁତ୍ଵାରୋପ କରୁଛନ୍ତି ଯେ ଭାରତ ପ୍ରମୁଖ ରପ୍ତାନକାରୀ ଦେଶରେ ପରିଣତ ହେବ।