
ନୂଆଦିଲ୍ଲୀ: ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦୁଇ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ହାଇଦ୍ରାବାଦରେ ଥିବା ଗୋଟିଏ ଫାର୍ମା କମ୍ପାନୀର ମୁଖ୍ୟ ରହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଥିଲା। ତଦନ୍ତ ବେଳେ ଏପରି ଗିରଫଦାରୀ ହୋଇଛି।
ହାଇଦ୍ରାବାଦର ଅରବିନ୍ଦ ଫର୍ମା କମ୍ପାନୀର ନିର୍ଦ୍ଦେଶକ ଶରତ ରେଡ୍ଡୀ ଓ ପାନୀୟ କମ୍ପାନୀ ପେରନଡ ରିଚାର୍ଡର ବିନୟ ବାବୁଙ୍କୁ ଇଡି ଜେରା କରିବା ପରେ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଛି। ପିଏମଏଲଏର ବିଭିନ୍ନ ଦଫରେ ଇଡି ଉଭୟଙ୍କୁ ଗିରଫ କରିଛି।
ଗିରଫଦାରୀ ପୂର୍ବରୁ ଇଡି ଶରତ ଓ ବିନୟଙ୍କ ଏକାଧିକ ଠିକଣାରେ ରେଡ କରିଥିଲା। ସେହିପରି ସେମାନଙ୍କୁ ୨ ଥର ଜେରା ମଧ୍ୟ କରାଯାଇଥିଲା। ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଇଡି ସେପ୍ଟେମ୍ବର ମାସରେ ମଦ କମ୍ପାନୀ ଇଣ୍ଡୋସ୍ପିରିଟର ଏମଡି ସମୀର ମାହାଦ୍ରୁଙ୍କୁ ବି ଗିରଫ କରିଥିଲା।
ଗତବର୍ଷ ଲାଗୁ ହୋଇ ଚଳିତ ବର୍ଷ ପ୍ରତ୍ୟାହାର ହୋଇ ସାରିଥିବା ଅବକାରୀ ନୀତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଘଟଣାର ତଦନ୍ତ ସିବିଆଇ ଆରମ୍ଭ କରିଥିଲା। ସିବିଆଇର ତଦନ୍ତ ଚାଲିଥିବା ବେଳେ ଇଡି ଅଗଷ୍ଟ ମାସରେ ପୂରା ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।