ଓଡ଼ିଶାପାଣିପାଗ

ଶୀତରେ ପୁଣି ବର୍ଷିବ । ୧୫ ଯାଏଁ ଛେଚିବ

ଶନିବାରଠାରୁ ରାଜ୍ୟରେ ବର୍ଷା ହୋଇପାରେ । ଶନିବାର ରାତିରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବ ।

ଆସନ୍ତା ୧୦ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ । ୧୩ରୁ ଭାରି ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସେସ୍‌ ପ୍ରଭାବରେ ୮ ତାରିଖ ରାତିରୁ ରାଜ୍ୟର କାଁ ଭାଁ କିଛି ସ୍ଥାନରେ ହାଲୁକା ବର୍ଷା ଆରମ୍ଭ ହେବ । ପରେ ଧୀରେ ଧୀରେ ଏହା ବଢ଼ିବ । ପଶ୍ଚିମ ଓଡ଼ିଶା, ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ପ୍ରଭାବ ରହିବ । ୧୦ ଓ ୧୧ରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏହା ପରେ ଭାରି ବର୍ଷା ହେବ । ୧୫ ତାରିଖ ଯାଏ ବର୍ଷା ଜାରି ରହିବ । ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୧୧ରୁ ରାଜ୍ୟରେ ପାଗ ବଦଳିବ । ୧୫ ଯାଏ ବର୍ଷା ଲାଗି ରହିବ । ତମାମ ରାଜ୍ୟରେ ପାଗ ମେଘୁଆ ସହ ବର୍ଷା ହେବ । ୧୩ରୁ ୧୬ ଯାଏ କୁହୁଡ଼ି ହେବ ।

୧୧ରୁ ୧୫ ଯାଏ ମୋଟ ପାଞ୍ଚ ଦିନରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ୪୦ ମିଲିମିଟରରୁ ଅଧିକ ବର୍ଷା ଆଶଙ୍କା ରହିଛି । ଗଜପତି, ରାୟଗଡ଼ା, ବଲାଙ୍ଗୀର, ସୋନପୁର, ଦେବଗଡ଼ ଓ ବରଗଡ଼ରେ ୩୦ରୁ ୪୦ ମିଲିମିଟର ବର୍ଷା ଆଶଙ୍କା ରହିଛି ।

କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ, ବୌଦ୍ଧ, କନ୍ଧମାଳରେ ୨୦ରୁ ୨୫ମିଲିମିଟର ବର୍ଷା ହୋଇପାରେ । ଏହାଛଡା ବାକି ଅଞ୍ଚଳରେ ୧୫ମିଲିମିଟର ଯାଏ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

୧୧ତାରିଖରୁ ପଶ୍ଚିମ ଓଡ଼ିଶାରେ ପ୍ରଥମେ ପାଗ ବଦଳିବ । ୧୫ରେ ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ହେବ । ୧୬ରେ ପାଗ ବଦଳି ପୁଣି ଶୁଖିଲା ହେବ ବୋଲି ସେ ଆକଳନ କରିଛନ୍ତି । ତେବେ ୧୩ ଓ ୧୪ରେ ଭାରି ବର୍ଷା ଆଶଙ୍କା ଅଛି । କେନ୍ଦୁଝର, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର ଓ ବଲାଙ୍ଗୀରରେ ୧୫ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ୧୧ରୁ ୧୫ ଯାଏ ରାଜ୍ୟରେ ପାଗ ମେଘୁଆ କୁହୁଡ଼ି ରହିବ । ବାୟୁର ଆର୍ଦ୍ରତା ବି ଅଧିକ ରହିବ । ଏଭଳି ଅଦିନିଆ ବର୍ଷା ଯୋଗୁ ରାଜ୍ୟରେ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଜଉ ପୋକ, ପାଉଁଶିଆ ରୋଗ, ପତ୍ରପୋଡା, ମୂଳ ସଢ଼ା ଭଳି କାରଣରୁ ମୁଗ, ବିରି, ଶିମ୍ବ, ସୋରିଷ ଓ ଚିନାବାଦାମ ଚାଷ କ୍ଷତିଗ୍ରସ୍ତ ହୋଇପାରେ । ଟମାଟୋ, କୋବି ଭଳି ଶୀତଦିନିଆ ପନିପରିବାରେ ବି ରୋଗ ପୋକ ବଢ଼ିବ ବୋଲି ପ୍ରଫେସର ପଶୁପାଳକ ସତର୍କ କରାଇ ଦେଇଛନ୍ତି ।

Show More

Related Articles

Back to top button