ଆସନ୍ତା ୧୧ ତାରିଖରୁ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ। ପ୍ରଥମ ପର୍ଯ୍ୟାୟରେ ସ୍ନାତକ ଓ ସ୍ନାତକୋତ୍ତରର ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ପାଠପଢା ଓ ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦେଖି ଆଜି ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏକ ଅନ୍ଲାଇନ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ତଥା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ମହାମାରୀକୁ ଦେଖି ରେଭେନ୍ସା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କ୍ଲାସ୍ରୁମରେ ପଢ଼ିବାକୁ ଆସିବାକୁ ଇଛା ରଖିଥିବା ଶେଷବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ସାଟିଫିକେଟ୍କୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କଠାରୁ ଆପତ୍ତିବିହୀନ(ନୋ-ଅବ୍ଜେକସନ୍) ପ୍ରମାଣପତ୍ର ଆଣିବାକୁ କୁହାଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ମହାମାରୀ ପାଇଁ ହଷ୍ଟେଲ, କ୍ଲାସ୍ରୁମ ଓ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ କେଉଁ ପ୍ରକାର ନିୟମ ରହିବ ତାହା ବିଶ୍ବବିଦ୍ୟାଳୟର ୱେବ୍ସାଇଟ୍ରେ ଖୁବ ଶୀଘ୍ର ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୧୧ ତାରିଖରୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଏହାସହ ୧୦ ତାରିଖରେ ବିଶ୍ବବିଦ୍ୟାଳୟର ବିଭିନ୍ନ ହଷ୍ଟେଲଗୁଡିକୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ। ନିର୍ଦ୍ଦେଶ ଅନୁସାରେ ପ୍ରଥମେ ୟୁଜି ଓ ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସ୍ରୁମ ଖୋଲାଯିବ। ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଆସିବା ପୂର୍ବରୁ ରେଭେନ୍ସାର ସମସ୍ତ ହଷ୍ଟେଲ ଓ କ୍ଲାସ୍ରୁମ୍କୁ ସାନିଟାଇଜ୍ କରାଯିବ। କ୍ଲାସରୁମରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ହାତ ସାନିଟାଇଜ୍ କରିବେ। ସମସ୍ତ ପରିସ୍ରାଗାର ଓ ଶୌଚାଳୟରେ ହ୍ୟାଣ୍ଡୱାସ୍ ରଖାଯିବ। କ୍ଲାସ୍ରୁମ୍ ସିଟ୍ସଂଖ୍ୟାର ପଚାଶ ଭାଗ ଛାତ୍ରଛାତ୍ରୀଙ୍କୁ ଗୋଟିଏ ସମୟରେ ଡକାଯିବ। ଏଥିପାଇଁ କ୍ଲାସ୍ଗୁଡିକୁ ଏକାଧିକ ବ୍ୟାଚ୍ରେ ବଣ୍ଟାଯିବ। ରେଭେନ୍ସା ପରିସର ଓ ଲନ୍ରେ ଛାତ୍ରଛାତ୍ରୀଙ୍କୁ ବିନା କାରଣରେ ବସିବା ଓ ବୁଲିବା ଉପରେ କଟକଣା ଲଗାଯାଇଛି। ଶେଷବର୍ଷର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟକୁ ଆସିବା ପୂର୍ବରୁ ସେମାନଙ୍କ ଆଣ୍ଟିଜେନ୍ ଟେଷ୍ଟ କରିବାକୁ କୁହାଯାଇଛି। ଟେଷ୍ଟ ରିପୋର୍ଟ ନେଗେଟିଭ୍ ଥିଲେ ସେମାନଙ୍କୁ ବିଶ୍ବବିଦ୍ୟାଳୟକୁ ଆସିବାକୁ ଦିଆଯିବ।ସମସ୍ତ କ୍ଲାସ୍ରୁମ୍ ଓ ବିଭାଗରେ କୋଭିଡ୍ କଟକଣା ପାଳନ କରାଯାଉଛି କି’ ନାହିଁ ତାହା ଦେଖିବାକୁ ବିଭାଗୀୟ ମୁଖ୍ୟଙ୍କୁ ଦାୟିତ୍ବ ଦିଆଯାଇଛି। ବିଶ୍ବବିଦ୍ୟାଳୟର ସମସ୍ତ ହଷ୍ଟେଲକୁ ୧୦ ତାରିଖ ପୂର୍ବରୁ ସାନିଟାଇଜ କରାଯିବା ସହିତ ସେଠାରେ କୋଭିଡ୍ କଟକଣାକୁ ଅଧିକ ଗୁରୁତ୍ବ ଦିଆଯିବ। ହଷ୍ଟେଲଗୁଡିକର ଦାୟିତ୍ବରେ ଥିବା ୱାର୍ଡେନଙ୍କୁ ଏହାର ତଦାରଖ କରିବାକୁ କୁହାଯାଇଛି। ବିଶ୍ବବିଦ୍ୟାଳୟର ୱେବ୍ସାଇଟ୍ରେ କୋଭିଡ୍ କଟକଣାର ସମସ୍ତ ନିୟମ ଖୁବ ଶୀଘ୍ର ରହିବ। ଛାତ୍ରଛାତ୍ରୀଙ୍କ ଆସବା ପୂର୍ବରୁ ବିଶ୍ବବିଦ୍ୟାଳୟର ସମସ୍ତ ହେଷ୍ଟଲ, କ୍ଲାସ୍ରୁମକୁ ପ୍ରଥମିକତା ଦିଆଯାଇ ସାନିଟାଇଜ୍ କରାଯିବ। ରେଭେନ୍ସାକୁ ଆସବା ପାଇଁ ଛାତ୍ରଛାତ୍ରୀ କୋଭିଡ୍ ରିପୋର୍ଟ ନେଗେଟିଭ୍ ରହିବା ଜରୁରୀ ବୋଲି ବିଶ୍ବବିଦ୍ୟାଳୟ ସିସିଡି ପ୍ରଫେସର ଡକ୍ଟର ସ୍ମୃତିପ୍ରଭା ଦାସ କହିଛନ୍ତି। ଆଜିର ଅନ୍ଲାଇନ୍ ବୈଠକରେ ଭାରପ୍ରାପ୍ତ କୁଳପତି ପ୍ରଫେସର ଚୌଧୁରୀଙ୍କ ସହିତ ରେଭେନ୍ସା ସିସିଡି ସ୍ମୃତିପ୍ରଭା ଦାସ, ଚିଫ୍ ୱାର୍ଡେନ କିଶୋର କୁମାର ଦାସଙ୍କ ସହିତ ସମସ୍ତ ବିଭାଗର ମୁଖ୍ୟଙ୍କ ସହିତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।