Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

୪ ଜିଲ୍ଲାରେ ବର୍ଷା ପ୍ରବଳ ବର୍ଷିବ !

ବାତ୍ୟାକୁ ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା

ବାତ୍ୟା ସମ୍ଭାବନା ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ଜରୁରୀ ସୂଚନା । ଆଇଏମ୍‌ଡି ଅନୁସାରେ ବାତ୍ୟା ୧୦ ତାରିଖରେ ଉପକୂଳ ଠାରୁ ୨୫୦ କିମି ଦୂରରେ ଥିବ । ଆସନ୍ତାକାଲି ଠିକ୍‌ରେ ସ୍ପଷ୍ଟ ହେବ । ୧୦ରେ ଗଞ୍ଜାମ , ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ବର୍ଷା ହୋଇପାରେ ବୋଲି ଏସ୍ଆର୍‌ସି କହିଛନ୍ତି । ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଘରକୁ ଫେରିଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ତଥ୍ୟ ଅନୁସାରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପରେ ପରିଣତ ହୋଇ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି । ଯାହା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତର ରୂପ ନେବ । ଏହି ଅବପାତ ରୂପ ନେବା ପରେ ହିଁ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ମିଳିବ । ତେବେ ଆଇଏମଡିର ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ଲଘୁଚାପ ଅଧିକ ଅବପାତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଲେ ତାହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳ ଆଡ଼େ ଗତି କରିବ । କିନ୍ତୁ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବଙ୍ଗୋପସାଗରରେ ଉପକୂଳଠୁ ୨୫୦-୩୦୦କିମି ଦୂରରେ ରହିବ । ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ ଅବା ସିଭିୟର ସାଇକ୍ଲୋନର ରୂପ ନିଏ ତେବେ ତା’ର ଗତିପଥ, ପ୍ରଭାବ ଓ ତୀବ୍ରତା କ’ଣ ହେବ ତାହା କେବଳ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ । ଏବେ ଯେହେତୁ ଏହା ଅବପାତର ରୂପ ନେଇନାହିଁ ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିବା କଷ୍ଟକର ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି ।

ଅବଶ୍ୟ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୮ତାରିଖରୁ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗଲ କେତେ ରହିବ ସେ ନେଇ କୌଣସି ତଥ୍ୟ ଆଇଏମଡି ପକ୍ଷରୁ ମିଳିନଥିବା ଏସ୍‌ଆର୍‌ସି କହିଛନ୍ତି । ଆସନ୍ତାକାଲି ଆଇଏମଡି ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମକୁ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ମୁତୟନ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି । ୮ତାରିଖ ସକାଳ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀକୁ ମଧ୍ୟ ରାଜ୍ୟ ସରକାର ଆଜି ଚିଠି ଲେଖି ସମୁଦ୍ରରେ ରହିଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାରେ ସହଯୋଗ କରିବାକୁ କହିଛନ୍ତି । ୮ତାରିଖରୁ ଯେଭଳି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବେନି ତାହା ସୁନିଶ୍ଚିତ କରିବାକୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭିନ୍ନ ଜରାଶ୍ରମ, ଅନଥାଶ୍ରମ ଓ ମାନସିକ ବିକୃତ ରହୁଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରି ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ସ୍ଥାନାନ୍ତର କରିବାକୁ ସାମାଜିକ ସଶକ୍ତିକରଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଆବଶ୍ୟକ ସ୍ଥଳେ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ଚାଷୀଙ୍କ ଫସଲର ସୁରକ୍ଷା ପାଇଁ ଆବଶ୍ୟକ ପରାମର୍ଶନାମା ଜାରି କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତବ ବିଭାଗକୁ ମଧ୍ୟ ନିଜର ଇଞ୍ଜିନିୟରିଂ ଟିମକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜଙ୍ଗଲ ବିଭାଗକୁ ମଧ୍ୟ ଆବଶ୍ୟକ ସଂଖ୍ୟକ ଗଛ କଟାଳି ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆଜି ଟେଲିକମ୍ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ରାଜ୍ୟ ଆଇଟି ସଚିବଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ଭାବ୍ୟ ବାତ୍ୟାବେଳେ ନିରବଚ୍ଛିନ୍ନ ସେବା ଜାରି ରଖିବାକୁ ଆବଶ୍ୟକ ପ୍ରସ୍ତୁତି କରିବାକୁ କୁହାଯାଇଛି । ଶ୍ରୀ ଜେନା କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ମଗାଯାଇଥିବା ତଥ୍ୟ ଆଜି ରାତି ସୁଦ୍ଧା ମିଳିବାର ସମ୍ଭାବନା ରହିଛି । ସେସବୁ ମିଳିବା ପରେ ରାଜ୍ୟ ସରକାର ଅଧିକ ପ୍ରସ୍ତୁତି କରିବେ । ରାଜ୍ୟର କୌଣସି ସ୍ଥାନରେ ଶୁଖିଲା ଖାଦ୍ୟର ଅଭାବ ନାହିଁ । ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ଗଚ୍ଛିତ ଥିବା ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ଦରଦାମ ବୃଦ୍ଧି ଉପରେ ନିୟନ୍ତ୍ରଣ ପାଇଁ ମଧ୍ୟ ଜିଲ୍ଲାପାଳମାନେ ପଦକ୍ଷେପ ନେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ପ୍ରସ୍ତୁତି ରାଜ୍ୟ ସରକାର କରିବା କଥା ତାହା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବାତ୍ୟାକୁ ନେଇ ଆସନ୍ତାକାଲି ଆଇଏମଡି ସ୍ପଷ୍ଟ ଚିତ୍ର ଦେବା ପରେ ମୁଖ୍ୟ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ଉଚ୍ଚସ୍ତରୀୟ ସମୀକ୍ଷା ହେବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି ।

Show More

Related Articles

Back to top button