Breaking PLUSଓଡ଼ିଶାଶିକ୍ଷା

ପ୍ରଥମରୁ ପଞ୍ଚମ କ୍ଲାସ ଲାଗି ଆପଣା ଯିବ ବିକଳ୍ପ ବ୍ୟବସ୍ଥା

ରାଜ୍ୟରେ ପ୍ରଥମେ ଦଶମ, ପରେ ୮ମ ଶ୍ରେଣୀ ପାଠପଢ଼ା ଶ୍ରେଣୀ ଗୃହରେ ଆରମ୍ଭ ହୋଇଥିବା ବେଳେ ଖୁବ୍‌ଶୀଘ୍ର ୬ଷ୍ଠ ଏବଂ ୭ମ ଶ୍ରେଣୀ ଅଫ୍‌ଲାଇନ୍ ପାଠପଢ଼ା ଆରମ୍ଭ ହେବ । ମାତ୍ର ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କେବେ ହେବ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହାକୁ ନେଇ ଚିନ୍ତାରେ ଅଭିଭାବକ ।

ପ୍ରଥମରୁ ୫ମ ପର୍ଯ୍ୟନ୍ତ ଶ୍ରେଣୀ ପାଠପଢ଼ା ଆରମ୍ଭ ହେଉନଥିବା ବେଳେ ଅନ୍‌ଲାଇନ୍ ପାଠପଢ଼ାରୁ ପିଲାମାନେ ଗୁଣାତ୍ମକ ଶିକ୍ଷା ପାଇପାରୁନାହାନ୍ତି । ଏପରିକି ପ୍ରାୟ ୬୦% ପିଲା ଅନ୍‌ଲାଇନ୍ ପାଠପଢ଼ାରୁ ପରୋକ୍ଷରେ ବଞ୍ଚିତ ହେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୭ ଲକ୍ଷ ୭୧ହଜାର ୨୪୯ । ତେବେ ଏହି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଗଣଶିକ୍ଷା ବିଭାଗ ଚିନ୍ତିତ ରହିଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେଣୁ ଏହି ପିଲାଙ୍କ ପାଠପଢ଼ା ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଛି ଏବଂ ଆହୁରି ଗୁଣାତ୍ମକ କରିବା ଲାଗି ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ତେବେ ବିକଳ୍ପ ବ୍ୟବସ୍ଥାରେ କିପରି ଶିକ୍ଷାଦାନ କରାଯିବ ତା’କୁ ନେଇ ବିଚାର ବିମର୍ଶ ଚାଲିଛି । ରାଜ୍ୟରେ କରୋନା ସମସ୍ୟାକୁ ନଜର ଦେଇ ଶିକ୍ଷାଦାନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଉଛି । ଖୁବ୍‌ଶୀଘ୍ର ୬ଷ୍ଠରୁ ଶ୍ରେଣୀ ପାଠପଢ଼ା ଆରମ୍ଭ ମଧ୍ୟ ହେବ । ମାତ୍ର ପ୍ରଥମରୁ ୫ମ ପର୍ଯ୍ୟନ୍ତ କ୍ଲାସ ପାଠପଢ଼ା ଜାନୁଆରୀ ପରେ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ସ୍ଥିତିରେ ଏବେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ୍ ଏବଂ ହ୍ୱାଟ୍‌ସ ଆପ୍ ମାଧ୍ୟମରେ ପିଲାଙ୍କୁ ପଢ଼ାଯିବ । ଅଭିଭାବକଙ୍କୁ ମୋବାଇଲରେ ବିଷୟ ଏବଂ ପ୍ରଶ୍ନୋତ୍ତର ପଠାଯିବ । ସେହିପରି ୪ର୍ଥ ଏବଂ ୫ମ ଶ୍ରେଣୀ ଲାଗି ଶିକ୍ଷକମାନେ ଦୈନିକ ଅନ୍‌ଲାଇନ୍‌ରେ ପାଠପଢ଼ାଇବେ । ଯେଉଁ ପିଲାଙ୍କ ଲାଗି ମୋବାଇଲ ବା ଇଣ୍ଟରନେଟ୍ ସମସ୍ୟା ରହିଛି, ସେହି ପିଲାମାନଙ୍କୁ କିପରି ପଢ଼ାଯିବ ଏବଂ ଏକାଡେମିକ କ୍ୟାଲେଣ୍ଡର ଅନୁସାରେ କୋର୍ସ ଶେଷହେବ ସେଥିଲାଗି ସ୍କୁଲର ପ୍ରଧାନଶିକ୍ଷକ ବ୍ୟବସ୍ଥା କରିବେ । ଏପରିକି ଆବଶ୍ୟକସ୍ଥଳେ ଜାନୁଆରୀ ପରେ ଯଦି ସ୍କୁଲ ଖୋଲେ, ତେବେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସ୍ୱତନ୍ତ୍ର ଭାବେ ଉଜ୍ୱଳ-ଉତ୍‌ଥାନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯିବ । ସ୍ୱତନ୍ତ୍ର ପଦ୍ଧତିରେ ପିଲାଙ୍କୁ ପଢ଼ାଯାଇ ସେମାନଙ୍କ ଶ୍ରେଣୀ ଅନୁସାରେ ସେମାନଙ୍କୁ ଅପ୍‌ଡେଟ କରାଯିବ । ଏପରିକି ଆସନ୍ତା ବର୍ଷ ଖରାଦିନ ଛୁଟି କରାଯିବନାହିଁ । ସେହି ସମୟରେ ପିଲାଙ୍କୁ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟକୁ ରିଭିଜନ ଭାବେ ପଢ଼ାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି ।

Show More

Related Articles

Back to top button