ଦେଶ ବିଦେଶମୁଖ୍ୟ ଖବରରାଜନୀତି

ପ୍ରଶାନ୍ତ କିଶୋରଙ୍କୁ ପୁଣିଥରେ ଟାର୍ଗେଟ କରିଛି ନିତୀଶ କୁମାରଙ୍କ ଜେଡିୟୁ

ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ପୁଣିଥରେ ଟାର୍ଗେଟ କରିଛି ନୀତୀଶ କୁମାରଙ୍କ ଜେଡିୟୁ। କିଛି ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବ୍ୟକ୍ତିଗତ ଭାବେ ପିକେଙ୍କୁ ଭେଟିଥିଲେ। ଏହାପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପିକେ ଓ ନୀତୀଶ କୁମାର ପୁଣିଥରେ ଏକାଠି କାମ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଏବେ ଜେଡିୟୁ ପିକେଙ୍କୁ ବିଜେପି ବାଣ ମାରିଛି। ଜେଡିୟୁର ରାଷ୍ଟ୍ରୀୟ ସଭାପତି ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ କହିଛନ୍ତି, ପିକେ ଦେଉଥିବା ବୟାନ କେବଳ ତାଙ୍କ ବ୍ୟବସାୟର ମାର୍କେଟିଂ କରିବା ଛଡ଼ା ଆଉ କିଛି ନୁହେଁ। ଆମେ ସମସ୍ତେ ଜାଣିଛୁ ଯେ ସେ ବିଜେପି ପାଇଁ କାମ କରି ଆସୁଛନ୍ତି। ସେ ମିଡିଆରେ ଖବର ଜାଣିଶୁଣି ତିଆରି କରନ୍ତି। ବିଜେପି ବିହାରରେ ଲୋକଙ୍କ ସମର୍ଥନ ହାସଲ କରିପାରୁନି। ତେଣୁ ପିକେଙ୍କ ଦ୍ୱାରା ଷଡ଼ଯନ୍ତ୍ର କରି ବିହାରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ତାଙ୍କୁ ଜେଡିୟୁରେ ସାମିଲ ହେବାକୁ କୌଣସି ଅଫର ଦିଆଯାଇନଥିଲା। ପ୍ରଶାନ୍ତ କିଶୋର ନିଜ ଆଡ଼ୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଆଗ୍ରହ ଦେଖାଇଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି। ବିହାରରେ ବିଜେପିକୁ ଛାଡ଼ପତ୍ର ଦେବା ପରେ ନୀତୀଶ କୁମାର ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଲାଗିପଡ଼ିଛନ୍ତି। ଏଥିପାଇଁ ସେ ଦିଲ୍ଲୀ ଯାଇ ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ପିକେଙ୍କ ସହ ମଧ୍ୟ ତାଙ୍କର ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ୨୦୨୦ରେ ପିକେଙ୍କୁ ଜେଡିୟୁରୁ ବିଦା କରାଯାଇଥିଲା। ହେଲେ ତାଙ୍କ ସହ ନୀତୀଶ କୁମାର ପୁଣି ଆଲୋଚନା କରିବାରୁ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଥିଲା। ନୀତୀଶ କୁମାରଙ୍କ ସହ ଭେଟଘାଟ ପରେ ପିକେ ଜେଡିୟୁକୁ ଫେରିବାକୁ ଅଫର ପାଇଥିବା କହିଥିଲେ। ହେଲେ ଏବେ ତାଙ୍କ ବୟାନକୁ ଲଲନ ସିଂହ କାଉଣ୍ଟର କରିଛନ୍ତି। ସେ କହିଛନ୍ତି, “ବିହାରରେ ନୂଆ ରାଜନୀତିକ ପରିସ୍ଥିତି ସୃଷ୍ଟି ହେବା ପରେ ପ୍ରଶାନ୍ତ କିଶୋର ନିଜ ଆଡ଼ୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଚାହିଁଥିଲେ। ଏକଥା ଜାଣିବା ପରେ ନୀତୀଶ କୁମାର ତାଙ୍କୁ ଦଳର ସଭାପତିଙ୍କ ସହ ପ୍ରଥମେ କଥା ହେବାକୁ କହିଥିଲେ। ଏହାପରେ ପିକେ ଦିଲ୍ଲୀରେ ମୋ ସହ ସାକ୍ଷାତ କରିଥିଲେ। ସେହି ସାକ୍ଷାତ ସମୟରେ ମୁଁ ତାଙ୍କୁ କହିଥିଲି ଯେ ଆପଣଙ୍କୁ ଦଳର ଅନୁଶାସନ ଅଧୀନରେ କାମ କରିବାକୁ ପଡ଼ିବ। ଆପଣଙ୍କୁ ଦଳର ନିଷ୍ପତ୍ତି ସର୍ବଦା କାର୍ଯ୍ୟକାରୀ କରିବାକୁ ହେବ। ଯଦି ଆପଣ ଏହି ଦୁଇଟି ସର୍ତ୍ତରେ ରାଜି ହୁଅନ୍ତି ତେବେ ଆପଣ ପାର୍ଟି ସହ କାମ କରିପାରିବେ। ମୋ କଥା ଶୁଣିବା ପରେ ପ୍ରଶାନ୍ତ କିଶୋର ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସମୟ ଦେଇଥିଲେ। କିନ୍ତୁ ନିଜର ବ୍ୟବସାୟିକ ମାର୍କେଟିଂ ପାଇଁ ସେ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନାହିଁ ବୋଲି କହିଥିଲେ।

 

Show More

Related Articles

Back to top button