ନୂଆ ଲହର ପକାଇବନି ବେଶୀ ପ୍ରଭାବ
ଟିକାକରଣ ପାଇଁ ବଢିଛି ରୋଗ ପ୍ରତିରୋଧକ ଶକ୍ତି

ଚୀନ ଓ ହଂକଂ ସହ କିଛି ୟୁରୋପୀୟ ଦେଶରେ କରୋନାର ପ୍ରକୋପ ବଢିବାରେ ଲାଗିଛି । କିନ୍ତୁ ଭାରତରେ କିଛି ପ୍ରଭାବ ପଡିବ ନାହିଁ । କରୋନାର ମହାମାରୀର ଚତୁର୍ଥ ଲହରୀ ଆସିଲେ ମଧ୍ୟ କିଛି ପ୍ରଭାବ ପଡିବ ନାହିଁ । ଏନେଇ ଦେଶର ଅନେକ ଚିକିତ୍ସା ବିଶେଷଜ୍ଞ ଦାବି କରିଛନ୍ତି । ଟିକାକରଣ ସହ ପ୍ରାକୃତିକ ପ୍ରତିରୋଧକ ଶକ୍ତି କରୋନାକୁ ପ୍ରତିହତ କରିବାରେ ସକ୍ଷମ ବୋଲି ସେମାନେ ମତ ଦେଇଛନ୍ତି । ଏମ୍ସର ବରିଷ୍ଠ ମହାମାରୀ ରୋଗ ବିଶେଷଜ୍ଞ ଡଃ ସଞ୍ଜୟ ରାୟ କହିଛନ୍ତି ଯେ, କରୋନା ଏକ ଆରଏନଏ ଭାଇରସ । ଯାହା ମ୍ୟୁଟେସନ କରିଥାଏ । ଏବେସୁଦ୍ଧା ହଜାରରୁ ଅଧିକ ମ୍ୟୁଟେସନ ହୋଇସାରିଛି । ଯେଉଁଥିରୁ ପାଞ୍ଚୋଟି ଚିନ୍ତାଜନକ ଥିଲା । ପ୍ରାକୃତିକ ସଂକ୍ରମଣ ଅଧିକ ଦିନ ଯାଏଁ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ । ଯାହା ପାଇଁ ଭବିଷ୍ୟରେ ଗମ୍ଭୀର ଲହରର ସମ୍ଭାବନା କମ୍ ରହିଛି ।
ଏନଟିଏଜିଆଇର ଅଧ୍ୟକ୍ଷ ଡଃ ଏନକେ ଆରୋରା କହିଛନ୍ତି ଯେ, ଅଧିକାଂଶ ଲୋକ ଟିକା ନେଇ ସାରିଛନ୍ତି । ସଂକ୍ରମଣ ସ୍ତର ସବୁଠୁ ଖରାପ ସ୍ଥିତିରେ ପହଁଚିଥିଲା । ତେଣୁ ଏବେ ଆଉ ନୂଆ ଲହର ସେତେ ପ୍ରଭାବ ପକାଇବ ନାହିଁ । ତେବେ ସତର୍କ ରହିବାକୁ ହେବ । କାରଣ ନୂଆ ଭାରିଆଣ୍ଟ ଆସିପାରେ । ମହାମାରୀ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରକାନ୍ତ ଲହରିଆ କହିଛନ୍ତି ଯେ, ଯେଉଁ ନୂଆ ଭାରିଆଣ୍ଟ ଆସିଲେ ମଧ୍ୟ ଆଉ ଗୁରୁତର ସ୍ଥିତି ଉପୁଜିବ ନାହିଁ । ଓମିକ୍ରନର ତଥ୍ୟ ଆଧାରରେ ଭାରତରେ ମାହାମୀର ଶେଷ ହୋଇଥିବା ସମସ୍ତଙ୍କୁ ମାନିବାକୁ ହେବ । କାରଣ ତିନୋଟି ସଂକ୍ରମଣ ପାଇଁ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥିବା ସେ କହିଛନ୍ତି ।