ଓଡ଼ିଶାଦେଶ ବିଦେଶ

ନନ୍ଦନକାନନ ପରିଚାଳନାରେ ଅବ୍ୟବସ୍ଥା

ଅସଜଡ଼ା ଭିତ୍ତିଭୂମି ଯୋଗୁଁ ପର୍ଯ୍ୟଟକ ନିରାଶ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅବ୍ୟବସ୍ଥା ବଢ଼ିଚାଲିଛି। ଅସଜଡ଼ା ଭିତ୍ତିଭୂମି ଯୋଗୁଁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ପ୍ରଶାସନ ସବୁ ଦେଖି ନିରବ ରହୁଥିବା ପର୍ଯ୍ୟଟକ ଅଭିଯୋଗ କରିଛନ୍ତି। ପ୍ରାଣୀ ଉଦ୍ୟାନ କରୋନା ପରେ ଖୋଲା ହୋଇଥିଲେ ହେଁ ସିଂହ, ବାଘ, ଭାଲୁ ଓ ତୃଣଭୋଜି ସଫାରି ଏ ପର୍ଯ୍ୟନ୍ତ ଖୋଲାଯାଇ ପାରିଲା ନାହିଁ। ଏହା ସହ ପାର୍କିଂ, ବୋଟିଂ, ବ୍ୟାଟେରିଚାଳିତ ଗାଡ଼ି, ଶିଶୁ ଉଦ୍ୟାନ, ଶିଶୁ ଯତ୍ନଘର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବା ଫଳରେ ପର୍ଯ୍ୟଟକ ତିକ୍ତ ମନୋଭାବ ନେଇ ଫେରୁଛନ୍ତି। ସଫାରି ଖୋଲିବା ପାଇଁ କର୍ତ୍ତୃପକ୍ଷ ୩ଥର ଟେଣ୍ଡର ଆହ୍ୱାନ କରି ସାରିଲେଣି। ଟେଣ୍ଡରରେ ଥିବା ସର୍ତ୍ତକୁ ନେଇ ଠିକାଦାର ଭାଗ ନେଉନଥିବାରୁ ବାରମ୍ବାର ଟେଣ୍ଡର ବାତିଲ ହେଉଛି। ସେହିଭଳି ପୂର୍ବ ଟେଣ୍ଡର ଅବଧି ଥାଇ ମଧ୍ୟ ବ୍ୟାଟେରିଚାଳିତ ଗାଡ଼ି, ପାର୍କିଂ ବ୍ୟବସ୍ଥା ଖୋଲା ନଯିବା ପ୍ରଶାସନର ବିଫଳତାକୁ ଅଙ୍ଗୁଳି ନିର୍ଦେଶ କରୁଛି। ଅପରପକ୍ଷରେ ନନ୍ଦନକାନନର ଆକର୍ଷଣର କେନ୍ଦ୍ରବିନ୍ଦୁ ରୋପ୍‌ୱେ, ଟୟଟ୍ରେନ୍‌ ଦୀର୍ଘବର୍ଷ ହେବ ବନ୍ଦ ରହିଛି।

ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କୋଭିଡ ଆଇନାନୁଯାୟୀ ଗତ ଅକ୍ଟୋବର ୪ରେ ନନ୍ଦନକାନନ ଖୋଲାଯାଇଥିଲା। ସେଥିପାଇଁ ଏକ ମାର୍ଗଦର୍ଶିକା ଜାରି ହୋଇଥିଲା। ଦୈନିକ ୧୫୦୦ ପର୍ଯ୍ୟଟକ ପ୍ରବେଶ ପାଇଁ ଅନୁମତି ପ୍ରଦାନ ସହ ସାନିଟାଇଜ୍‌, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା ସାମାଜିକ ଦୂରତ୍ୱ ରକ୍ଷା କରି ପର୍ଯ୍ୟଟକ ବୁଲିବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା। ହେଲେ ଏ ସବୁ କଟକଣା ବାଟ ହୁଡ଼ିଛି। କର୍ତ୍ତୃପକ୍ଷ ଏଥିପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହେଉଛି ।

କରୋନା ସମୟରେ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ବିଭିନ୍ନ ପ୍ରଜାତିର ୪୧ ଜୀବଜନ୍ତୁଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ କଲରାପତରିଆ ବାଘ, ହିମାଳୟ ଭାଲୁ, ଅହିରାଜ, ଆନାକୋଣ୍ଡା, ଶଙ୍ଖଚିଲ, ସାରଙ୍ଗା ପକ୍ଷୀ, ଶାଗୁଣା, ଡାଳିଓଧ, ହରିଣ, ସମ୍ବର, କୃଷ୍ଣସାର ମୃଗ ଆଦି ଅଛନ୍ତି। ଖାଦ୍ୟାଭାବରୁ ମାରପିଟ ହୋଇ ସାରଙ୍ଗ ପକ୍ଷୀ ଓ କୃଷ୍ଣସାର ମୃଗ ଓ ମିଳନ ଆଶାରେ ମାଈ ସମ୍ବର ମରିଥିବା ଜଣାଯାଇଛି। ତଥାପି ୧୫୭ ପ୍ରଜାତିର ଜୀବଜନ୍ତୁ ନନ୍ଦନକାନନରେ ଅଛନ୍ତି।ପ୍ରାଣୀ ଉଦ୍ୟାନରେ ୫୦ରୁ ଊର୍ଦ୍ଧ୍ବ ସିସି କ୍ୟାମେରା ଲଗାଯିବା ସହ ରାତ୍ରି ପାଟ୍ରୋଲିଂ ଓ ସିକ୍ୟୁରିଟି ବିଭାଗର କର୍ମଚାରୀ ନିୟୋଜିତ ଥିବା ସତ୍ତ୍ବେ ଉଦ୍ୟାନରୁ ଦୁଇ ଦୁଇଥର ବଡ଼ ପାଣି ମୋଟର, କଟର ମେସିନ ଓ ଛୋଟ ପାଣି ପମ୍ପ ଚୋରି ହୋଇଛି। ଜୀବଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ପଶୁପକ୍ଷୀଙ୍କୁ ଆଣିବା ବ୍ୟବସ୍ଥା ଥିଲେ ମଧ୍ୟ ଉପନିର୍ଦେଶକ ଆଗ୍ରହ ପ୍ରକାଶ କରୁନଥିବା ପରିଲକ୍ଷିତ ହେଉଛି। ଶିଶୁଙ୍କୁ ଆକର୍ଷିତ କରୁଥିବା ଜେବ୍ରା, ଗଣ୍ଡା, ଜିରାଫ, ଓରାଙ୍ଗଓଟାଙ୍ଗ ଆଦିଙ୍କ ମୃତ୍ୟୁ ପରେ ଏହି ପ୍ରଜାତିର ଜୀବଜନ୍ତୁ ଆଣିବା ପାଇଁ ପ୍ରଶାସନ ଉଦ୍ୟମ କରୁନାହିଁ।

ପ୍ରାଣୀ ଉଦ୍ୟାନରେ ବିଏସଏନଏଲ କମ୍ପାନୀ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ୪ଟି ସଫାରି ପାଇଁ ନୂତନ ରହଣିସ୍ଥଳ ନିର୍ମାଣ କରିଥିଲା। ଯେଉଁଥିରେ ଟିକଟ ଗୃହ, ବିଶ୍ରାମାଗାର, ରାସ୍ତା ଇତ୍ୟାଦି ରହିବା ସହ ନୂତନ ଫାଟକ ଥିଲା। ଚଳିତ ବର୍ଷ ହସ୍ତାନ୍ତର ପରଠାରୁ ବାଘ ସଫାରିର ମୁଖ୍ୟ ଫାଟକ ଖୋଲିଲା ନାହିଁ। ଫଳରେ କର୍ତ୍ତୃପକ୍ଷ ପୁଣି ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରି ଫାଟକ ମରାମତି କରିବାକୁ ବାଧ୍ୟ ହେଲେ।ସେହିଭଳି ଜନ୍ତୁ କ୍ୟୁରେଟର ପଦ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି। ସ୍ୱତନ୍ତ୍ର ପ୍ରକଳ୍ପ ଅଧିକାରୀ ଓ ୮୦ଟି ଚତୁର୍ଥ ଶ୍ରେଣୀ ପଦ ଖାଲି ପଡ଼ିଛି। ସିସି କ୍ୟାମେରା ବହୁସ୍ଥାନରେ କାର୍ଯ୍ୟ କରୁନାହିଁ। ତୃଣଭୋଜି ଜନ୍ତୁଙ୍କ ପାଇଁ ଘାସ ଚାଷ କରାଯାଇଛି; କିନ୍ତୁ ହ୍ରଦକୂଳରୁ ଦେଶୀଘାସ ଜନ୍ତୁଙ୍କୁ ଦିଆଯାଉଛି। ଘାସଚାଷରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି, ଅଥଚ ଦେଶୀଘାସ ଦେବାର କାରଣ କ’ଣ ତାହା ତଦନ୍ତ ସାପେକ୍ଷ। ଏ ସଂକ୍ରାନ୍ତରେ ନନ୍ଦନକାନନ ନିର୍ଦେଶକ ଶଶି ପଲଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଛୁଟିରେ ଥିବାରୁ ପ୍ରତିକ୍ରିୟା ଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ।

Show More

Related Articles

Back to top button