ଓଡ଼ିଶା

ଭୟଙ୍କର ରୂପ ନେବ ମୌସୁମୀ, ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା

କୃଷି ଓ କୃଷକଙ୍କ ଜୀବନରେଖା ମୌସୁମୀ ବାୟୁ ଭାରତରେ ଭବିଷ୍ୟତରେ ଭୟଙ୍କର ରୂପ ନେବ । ଅତ୍ୟଧିକ ବର୍ଷା କରାଇବ । ଅଧିକ ବିପଜ୍ଜନକ ହୋଇପଡ଼ିବ

ଏକ ନୂଆ ଗବେଷଣାରୁ ଏହି ଚିତ୍ର ସାମ୍ନାକୁ ଆସିଛି । ବିଶ୍ୱତାପନ ହିଁ ଖଳନାୟକ ସାଜି ମୌସୁମୀର ସବୁ ଅଙ୍କ ବିଗାଡ଼ିଦେବ ବୋଲି କୁହାଯାଉଛି।ମୌସୁମୀ ଋତୁକୁ ବିଶୃଙ୍ଖଳିତ କରିବାରେ ଜଳବାୟୁ ପରିବର୍ତ୍ତନ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ବୈଜ୍ଞାନିକମାନେ ଅନେକ ବର୍ଷ ହେଲା କହିଆସୁଛନ୍ତି । କିନ୍ତୁ କିଛି କମ୍ପ୍ୟୁଟର ମଡେଲ୍‌ ତଥ୍ୟ ଦର୍ଶାଇଛି ଯେ ଗ୍ରିନହାଉସ୍‌ ଗ୍ୟାସ୍‌, ଗରମ ପରିବେଶରେ ବର୍ଦ୍ଧିତ ଆର୍ଦ୍ରତା ଆଦି ମୌସୁମୀ ଋତୁରେ ଅଧିକ ବର୍ଷାର କାରଣ ସାଜିବ । ଅପ୍ରତ୍ୟାଶିତ ଭାବେ ଅତ୍ୟଧିକ ବୃଷ୍ଟିପାତ ହେବ ।ପତ୍ରିକା ‘ସାଇନ୍ସ ଆଡ୍‌ଭାନ୍ସେସ୍‌’ରେ ଏହି ନୂଆ ରିପୋର୍ଟ ପ୍ରକାଶ ପାଇଛି । ବିଗତ ୧୦ ଲକ୍ଷ ବର୍ଷର ତଥ୍ୟକୁ ଆଧାର କରି ଏହି ରିପୋର୍ଟରେ ଆକଳନ କରାଯାଇଛି । ମୌସୁମୀ ଆଗକୁ କିଭଳି ରୂପ ନେବ, ତାହା ନେଇ ଭୟଙ୍କର ଅନୁମାନ ଲଗାଯାଇଛି । ସେହି ଦୃଷ୍ଟିରୁ ଭାରତରେ ମୌସୁମୀ ବାୟୁ ଅତ୍ୟଧିକ ବର୍ଷା କରାଇବା ସହ ବିପଜ୍ଜନକ ସାବ୍ୟସ୍ତ ହେବାକୁ ଯାଉଛି । ଭାରତରେ ସାଧାରଣତଃ ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୌସୁମୀ ବାୟୁ ସକ୍ରିୟ ରହି ଯଥେଷ୍ଟ ବର୍ଷା କରାଇଥାଏ ।

ଦେଶର କୃଷି ଅର୍ଥନୀତି ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । କିନ୍ତୁ ଜଳବାୟୁ ପରିବର୍ତ୍ତନ ଦକ୍ଷିଣ ଏସିଆ ଅଞ୍ଚଳର ସ୍ଥିତି ଓ ଇତିହାସ ବଦଳାଇ ଦେବ ।ରିପୋର୍ଟ ମୁତାବକ, ଗବେଷକମାନେ ବଙ୍ଗୋପସାଗରରୁ କିଛି ନମୁନା ସଂଗ୍ରହ କରି ତାହା ଉପରେ ଗବେଷଣା କରିଥିଲେ । ମୌସୁମୀ ବର୍ଷା ଯୋଗୁ ଧୋଇ ହୋଇ ସମୁଦ୍ରରେ ମିଶିଥିବା କିଛି ଉପାଦାନକୁ ସେମାନେ ନମୁନା ଭାବେ ସଂଗ୍ରହ କରିଥିଲେ । ଏହି ନମୁନା ୨୦୦ ମିଟର ଲମ୍ବା ଥିଲା ଏବଂ ମୌସୁମୀ ବର୍ଷାର ଏକ ପ୍ରମୁଖ ରେକର୍ଡ ଭାବେ ବିବେଚିତ ହୋଇଥିଲା । ଏଥିରୁ ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ଅଧିକ ବର୍ଷା ହେବା ଦ୍ୱାରା ସମୁଦ୍ରରେ ଅଧିକରୁ ଅଧିକ ସ୍ୱଚ୍ଛ ଜଳ ପ୍ରବେଶ କରିଥାଏ ଏବଂ ଉପରି ଭାଗରେ ଲବଣତାକୁ ହ୍ରାସ କରିଦେଇଥାଏ।ପୃଷ୍ଠଭାଗରେ ରହୁଥିବା ପ୍ଲବକର ମୃତ୍ୟୁ ଘଟିଥାଏ ଏବଂ ଏହା ତଳେ ବିଭିନ୍ନ ସ୍ତରରେ ବୁଡ଼ିଯାଇଥାଏ । ପ୍ରମୁଖ ନମୁନା ଜରିଆରେ ଗବେଷଣା କରି ବୈଜ୍ଞାନିକମାନେ ପ୍ଲବକ ଜୀବାଶ୍ମର ବିଶ୍ଳେଷଣ କରିଥିଲେ। ଏହାଦ୍ୱାରା ସେମାନେ ପ୍ଲବକ ବାସ କରୁଥିବା ଜଳର ଲବଣତା ମାପିବା ପାଇଁ ଅକ୍ସିଜେନ୍‌ ସମସ୍ଥାନିକ (ଆଇସୋଟୋପ୍‌)କୁ ମାପିଥିଲେ । ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେବା ଯୋଗୁ ଅତ୍ୟଧିକ ବର୍ଷା ଓ ସମୁଦ୍ର ଉପରି ଭାଗରେ କମ୍‌ ଲବଣତା ଦେଖିବାକୁ ମିଳିଥିବା ସେମାନେ ଜାଣିବାକୁ ପାଇଥିଲେ ।ଏବେ ମାନବ ଜାତି ଯୋଗୁ ବାୟୁମଣ୍ଡଳରେ ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ମାତ୍ରା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଛି । ଏହାଯୋଗୁ ମୌସୁମୀର ଗୁଣବତ୍ତାରେ ବଡ଼ଧରଣର ପରିବର୍ତ୍ତନ ଆସିବ ବୋଲି କୁହାଯାଇପାରିବ । ଏ ବାବଦରେ ଜର୍ମାନୀର ପୋଟ୍‌ସଡାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର ଆଣ୍ଡର୍ସ ଲେଭରମାନ୍‌ କହିଛନ୍ତି, ଜଳବାୟୁ ମଡେଲକୁ ଆଧାର କରି ପ୍ରସ୍ତୁତ ଏହି ସଦ୍ୟ ରିପୋର୍ଟକୁ ନେଇ ମୁଁ ଆନନ୍ଦିତ । ଏହାଦ୍ୱାରା ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇ ପାରିବ । ୧୦ ଲକ୍ଷ ବର୍ଷର ତଥ୍ୟକୁ ଭିତ୍ତି କରି ପ୍ରସ୍ତୁତ ଏହି ରିପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Show More

Related Articles

Back to top button