
ନୂଆଦିଲ୍ଲୀ: କାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବ୍ରିଟେନ ପ୍ରତିପକ୍ଷ ଲିଜ୍ ଟ୍ରସଙ୍କ ସହ ଫୋନରେ କଥା ହୋଇଛନ୍ତି। ଲିଜ୍ ଟ୍ରସ ନୂଆ କରି ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି। ଏହାବାଦ ମୁକ୍ତ ବ୍ୟବସାୟ ପାଇଁ ଦୁଇ ଦେଶ ମଧ୍ୟରେ ଚାଲିଥିବା ବୁଝାମଣା ସମ୍ପର୍କରେ ମଧ୍ୟ ମୋଦି ଓ ଟ୍ରସ ଆଲୋଚନା କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ ଦାୟିତ୍ୱ ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବାଣିଜ୍ୟ ଓ ବୈଦେଶିକ ମନ୍ତ୍ରୀ ଭାବେ ପୂର୍ବରୁ ଲିଜ୍ ଟ୍ରସ ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ନେଇଥିବା ପଦକ୍ଷପେ ଗୁଡ଼ିକୁ ମୋଦି ପ୍ରଶଂସା କରିଛନ୍ତି। ଦୁଇ ଦେଶର ନେତା ଏକାଧିକ ଦ୍ୱିପାକ୍ଷିକ ଚୁକ୍ତି ସମ୍ପର୍କରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି। ଏହା ମଧ୍ୟରେ ୨୦୩୦ ରୋଡମ୍ୟାପ୍ର କାର୍ଯ୍ୟକାରିତା, ବ୍ୟବସାୟିକ ବୁଝାମଣା, ପ୍ରତିରକ୍ଷା ଓ ସୁରକ୍ଷା ବୁଝାମଣା ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କ ଆଦି ପ୍ରସଙ୍ଗ ରହିଛି। ଆଗକୁ ସବୁ ପ୍ରସଙ୍ଗରେ ଦୁଇ ଦେଶ ପରସ୍ପର ସହ ମିଳିତ ଭାବେ କାମ କରିବା ଉପରେ ଗୁରତ୍ୱ ଦିଆଯାଇଛି। ଭାରତବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବିୟୋଗରେ ରାଜ ପରିବାର ପ୍ରତି ଶୋକ ବ୍ୟକ୍ତ କରିଛନ୍ତି।