Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍କେଟ ଆସୋସିଏସନ-ଭେଣ୍ଡିଂଜୋନ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ, 1 ନମ୍ବର ହାଟ ବନ୍ଦ

ଭୁବନେଶ୍ୱର- ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଏହାକୁ ନେଇ ଗୁରୁବାର ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ଘଟଣା ଥାନାକୁ ଯାଇଥିଲା। ତେବେ ସେଠାରେ କୌଣସି ସମାଧାନ ହୋଇପାରି ନ ଥିବାବେଳେ ଉକ୍ତ ଘଟଣା ପ୍ରତିବାଦରେ ଆସୋସିଏଶନ୍‌ ପକ୍ଷରୁ ୧ନମ୍ବର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ଗୁରୁବାର ଭେଣ୍ଡିଂଜୋନ୍‌ ବ୍ୟବସାୟୀମାନେ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ଏହାକୁ ଆସୋସିଏଶନ୍‌ର କେତେଜଣ ବ୍ୟବସାୟୀ ବାରଣ କରିଥିଲେ। ରାସ୍ତା ଛାଡ଼ି ବେପାର କରିବାକୁ ସେମାନେ କହିଥିଲେ। ଏଥିରେ ଭେଣ୍ଡିଂଜୋନ୍‌ ବ୍ୟବସାୟୀମାନେ ତାଙ୍କୁ ଖରାପ ବ୍ୟବହାର କରିବା ସହ ଗାଳିଗୁଲଜ କରିଥିଲେ, ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟପକ୍ଷ ରାସ୍ତା ଉପରକୁ ଆସି କଥା କଟାକଟି ହୋଇଥିଲେ। ଫଳରେ ମାର୍କେଟରୁ ଏଜି ଛକ ଆଡକୁ ଥିବା ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା ଜାମ୍‌ ହୋଇଯାଇଥିଲା।

ଗାଡ଼ିମୋଟର ଯିବା ଆସିବାରେ ମଧ୍ୟ ଅସୁବିଧା ହୋଇଥିଲା। ଏପରିକି ଭେଣ୍ଡିଂଜୋନ ବ୍ୟବସାୟୀମାନେ ହାଟ ଭିତରକୁ ଯାଉଥିବା ଗ୍ରାହକଙ୍କୁ ଛାଡ଼ି ନ ଥିଲେ। ଏହାକୁ ନେଇ ବିବାଦ ତୀବ୍ର ରୂପ ନେଇଥିଲା। ଅପରପକ୍ଷେ ଆସୋସିଏଶନ୍‌ର ବ୍ୟବସାୟୀମାନେ ଦୁର୍ବବ୍ୟବହାର କରିଥିବା ଭେଣ୍ଡିଂଜୋନ୍‌ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ପରେ ଘଟଣାର ସମାଧାନ ପାଇଁ କ୍ୟାପିଟାଲ ଥାନାକୁ ଉଭୟ ପକ୍ଷ ଯାଇଥିଲେ। ଅପରାହ୍ନରେ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସଭାପତି ଗୟାଧର ସ୍ବାଇଁ ଘଟଣାସ୍ଥଳକୁ ଯାଇ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ।

ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ। ସେହିପରି ଏତେ ମାତ୍ରାରେ ବ୍ୟବସାୟୀଙ୍କ ପାଇଁ ପାର୍କିଂ ସୁବିଧା ନ ଥିବାରୁ ହାଟ ବ୍ୟବସାୟୀମାନେ ଏହା ସମ୍ମୁଖରେ ଥିବା ରାସ୍ତା କଡ଼ରେ ଗାଡ଼ି ପାର୍କିଂ କରୁଥିଲେ। ମାତ୍ର ଗତ କିଛିଦିନ ହେବ ବିଏମ୍‌ସି ଏବଂ ଟ୍ରାଫିକ୍‌ ପୋଲିସ ପାର୍କିଂ ହୋଇଥିବା ଗାଡ଼ିିଗୁଡିକୁ ଉଠାଇ ନେଉଛି। ଜରିମାନା ଆକାରରେ ୧୨ଶହ କିମ୍ବା ତା’ଠାରୁ ଅଧିକ ଟଙ୍କା ନେଉଛନ୍ତି। ବ୍ୟବସାୟୀଙ୍କୁ ବିଏମ୍‌ସି ସୁବିଧା ଯୋଗାଇପାରୁ ନ ଥିବାବେଳେ ସେମାନଙ୍କ ଉପରେ ଏଭଳି ଜୁଲମ୍‌ ବାବଦରେ ଶୁକ୍ରବାର ବୈଠକରେ ଉପସ୍ଥାପନ କରାଯିବ ବୋଲି ଗୟାଧର କହିଛନ୍ତି। ତେବେ ବ୍ୟବସାୟୀମାନଙ୍କ ମଧ୍ୟରେ ତାଳମେଳ ଠିକ୍‌ ରହୁ ନ ଥିବାବେଳେ ମାର୍କେଟ ବନ୍ଦ ରଖାଯିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Show More

Related Articles

Back to top button