ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହେବେନି ମମତା

କୋଲକାତା, 13 ଜାନୁୟାରୀ- କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ବିରୁଦ୍ଧରେ ବିରୋଧୀ ଦଳ ଇଣ୍ଡି ମେଣ୍ଟରେ ଫାଟ । କଂଗ୍ରେସର ଆହ୍ୱାନରେ ଆଜି ଏହି ମେଣ୍ଟର ଭର୍ଚୁଆଲ ବୈଠକରେ ସାମିଲ ହେବେନି ମମତା । ତାଙ୍କ ଦଳ କଂଗ୍ରେସର ଏହି ମେଣ୍ଟର ଅଂଶ, ମାତ୍ର ଭର୍ଚୁଆଲ ବୈଠକରେ ସାମିଲ ହେବାକୁ ମନା କରିଦେଇଛନ୍ତି ମମତା ।
ତୃଣମୂଳ କଂଗ୍ରେସର ବରିଷ୍ଠ ନେତାଙ୍କ ସୂଚନା ମୁତାବକ, କଂଗ୍ରେସର ନିଜ ମୁତାବକ ମେଣ୍ଟକୁ ସଂଚାଳିତ କରିବାକୁ ଉଦ୍ୟମ କରୁଛି, ଯାହା ତୃଣମୂଳ କଂଗ୍ରେସକୁ ସ୍ୱୀକାର ନୁହେଁ । ସେ କହିଛନ୍ତି ଯେ, ସିଟ୍ ବଣ୍ଟନ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ ତୁରନ୍ତ ନିଷ୍ପତ୍ତି କରିବା ଉପରେ ବାରମ୍ବାର ଆଲୋଚନା କରାଯାଉଛି, କିନ୍ତୁ କଂଗ୍ରେସ ଏହାକୁ ଗୁରୁତ୍ୱ ଦେଉନାହିଁ । କଂଗ୍ରେସ ନିଜର ନ୍ୟାୟ ଯାତ୍ରା ଓ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିବାରେ ବ୍ୟସ୍ତ ରହିଛି । ଆମେ ଆମର ମତ ସ୍ପଷ୍ଟ କଲୁ, ଏହାର ଦେଢଘଣ୍ଟା ପରେ କଂଗ୍ରେସ ଭର୍ଚୁଆଲ ବୈଠକ ପାଇଁ ଘୋଷଣା କଲା । ଏଥିରେ କେଉଁ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ, କଣ ଆଲୋଚନା ହେବ ତାହା ନିର୍ଦ୍ଧାରିତ ହୋଇନାହିଁ । ଏଥିପାଇଁ ଆମେ ଏହି ବୈଠକରେ ସାମିଲ ହେବୁନି ବୋଲି ତୃଣମୂଳ ନେତା କହିଛନ୍ତି ।